ଅନୁଗୋଳ: ଜିଲ୍ଲାର ପୁରାତନ ପାଇକ ସଂସ୍କୃତି ଏବେ ହଜିଯାଉଛି। ରାଜା ମହାରାଜା ସମୟରେ ଯୋଦ୍ଧା ମାନେ ଯେଉଁଭଳି ଭାବେ ନିଜ ମାତୃଭୂମିର ରକ୍ଷା କରିବାକୁ ରଣକୌଶଳ ଆପଣେଇ ଥିଲେ ତାହାର ଜ୍ବଳନ୍ତ ନିଦର୍ଶନ ଆଜି ମଧ୍ୟ ଗାଁ ଗାଁରେ ଦେଖିବାକୁ ମିଳୁଛି। ହେଲେ ସରକାରୀ ଉଦାସୀନତା ତଥା ପ୍ରୋତ୍ସାହନ ଅଭାବରୁ ବହୁ ଗାଁରେ ତାହା ଆଉ ଦେଖିବାକୁ ମିଳୁନାହିଁ ।
"ପାଇକ "ବୀର ଆଉ ସାହସୀ। ଏମାନେ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିବା ଠାରୁ ଆରମ୍ଭ କରି ରାଜତନ୍ତ୍ର ସମୟରେ ଶତ୍ରୁ ପକ୍ଷ ଠାରୁ ନିଜ ରାଜ୍ୟ ଓ ରାଜାକୁ ସୁରକ୍ଷା ଦେଇ ଆସୁଥିଲେ । ସମୟ ବଦଳିଲା, ରଜତନ୍ତ୍ର ଚାଲି ଗଲା ହେଲେ, ଆଜିବି ପାଇକର ସିରା ପ୍ରଶିରାରେ ପ୍ରବାହିତ ହେଉଛି ସେଇ ରକ୍ତ। ଯାହା ସୂଚାଇ ଦେଉଛି ସେଇ ବୀରପଣ ଓ ଅଦମ୍ୟତାକୁ । ଅନୁଗୋଳ ଇତିହାସରେ ଏହି ପାଇକ ମାନଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ଜିଲ୍ଲାରେ ସେତେବେଳେ ବୁଢ଼ାପଙ୍କ, ଗୋତମରା, ନୂଆହତା, ବଳରାମ ପ୍ରସାଦ ଓ ଗଡସନ୍ତ୍ରୀକୁ ନେଇ ପଞ୍ଚଗଡ଼ ସ୍ଥାପନ କରା ଯାଇଥିଲା। ଏହି ଗଡ଼ରେ ପାଇକ ମାନଙ୍କୁ ତାଲିମ ଦିଆଯିବା ସହ ବିପୁଳ ସଂଖ୍ୟାରେ ରଖା ଯାଉଥିଲା ଯାହାକି ଆଜି ସୁଦ୍ଧା ସେହି ପାଇକ ପରିବାର ଗୁଡିକ ଅଛନ୍ତି। ସେମାନଙ୍କର ସେହି ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ଅଛି। ଆଖଡାରେ ଅଭ୍ୟାସ କରୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ସେମାନଙ୍କର ରଣକୌଶଳ ପ୍ରଦଶନ କରି ପ୍ରଶଂସିତ ହେଉଛନ୍ତି। କିନ୍ତୁ ଧୀରେ ଧୀରେ ଏହି ପରମ୍ପରା ଲିଭିବାକୁ ବସିଲାଣି।
ଏହି ପୁରାତନ କଳାକୁ ବଞ୍ଚାଇ ରଖିବାକୁ ଯାଇ ଅନେକ ପରିବାର ଦୟନୀୟ ଜୀବନ ଯାପନ କରୁଛନ୍ତି। ବହୁ ପାଇକ ଗାଁରେ ଆଖଡା ଭାଙ୍ଗି ଗଲାଣି। ଅସ୍ତ୍ରଶସ୍ତ୍ର କଳଙ୍କି ଲାଗିଗଲାଣି। ସେମାନଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ନମିଳିବା କାରଣରୁ ଏଭଳି ଏକ କଳା ଖୁବ କମ ଦିନରେ ଲୋପ ପାଇବାର ଆଶଙ୍କା ଦେଖା ଦେଇଛି।ରାଜ୍ୟ ସରକାର ଯଦିଓ ପାଇକ ଆଖଡାକୁ ଲୋକ କଳା ତାଲିକାଭୁକ୍ତ କରିଛନ୍ତି କିନ୍ତୁ ପାଇକ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହନ ମିଳିପାରି ନାହିଁ । ପୂର୍ବରୁ ଜିଲାରେ ଶହ ଶହ ଆଖଡା ଥିଲା। କିଛି ଗାଁରେ ଦଶହରା, ଯାନିଯାତ୍ରା ଓ ଭଷାଣ ଉତ୍ସବ ହେଲେ ଅଳ୍ପ କିଛି ପାରିଶ୍ରମିକ ନେଇ କଳା ପ୍ରଦର୍ଶନ କରିଛନ୍ତି। ସେତିକିରେ ସେମାନଙ୍କ ପାରମ୍ପରିକ ପୋଷାକ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ସମ୍ଭବ ହେଉ ନାହିଁ। ତେଣୁ ଏଭଳି ହେଲେ ରାଜା ରାଜୁଡା ଅମଳର ପାଇକ ସଂସ୍କୃତି ଆଉ ଦେଖିବାକୁ ମିଳିବ ନାହିଁ । ବହୁ ପୁରାତନ ସମର କଳାକୁ ବଞ୍ଚାଇ ରଖିବାକୁ ସରକାର ଆବଶ୍ୟକ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆମ ପର ପୀଢ଼ି ପାଇକ ଖେଳକୁ କେବଳ ପୁସ୍ତକରେ ପଢିବେ। ଆଉ ଏହି କଳା ପ୍ରଦର୍ଶନ ଦେଖିବାକୁ ପାଇବେ ନାହିଁ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ