ଅନୁଗୋଳ: ଦିନ ଥିଲା ଅନୁଗୋଳ ଜିଲ୍ଲାର ବଇଣ୍ଡା ଠାରୁ ବଡକେରା ପର୍ଯ୍ୟନ୍ତ ହଜାର ହଜାର ହେକ୍ଟର ଜମିରେ ଚାଷ ହେଉଥିଲା ପିଆଜ । ବର୍ଷକୁ ପ୍ରାୟ 5ହଜାର ମେଟ୍ରିକ ଟନରୁ ଅଧିକ ପିଆଜ ଏ ଅଞ୍ଚଳରେ ଉତ୍ପାଦନ ହେଉଥିଲା । ତେଣୁ ଜିଲ୍ଲା ବ୍ୟତିତ ଜିଲ୍ଲା ବାହାରକୁ ଏଠାରୁ ପିଆଜ ପଠା ଯାଉଥିଲା । ଏଠାରେ ପିଆଜ ସଂରକ୍ଷଣ କେନ୍ଦ୍ର ନଥିବାରୁ ଚାଷୀମାନେ କମ ଦରରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ ।
ଚାଷୀ ମାନଙ୍କର ଆବଶ୍ୟକତାକୁ ଦେଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଜରପଡା ଠାରେ ପରୀକ୍ଷା ମୂଳକ ଭାବେ ଏକ ପିଆଜ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଆର୍ଥିକ ମଞ୍ଜୁରୀ ଦେଇଥିଲେ । 1998ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ 1999ରେ ଶେଷ ହୋଇଥିଲା । କିନ୍ତୁ ତାହା ଦିନକ ପାଇଁ ମଧ୍ୟ ଚାଲି ପାରି ନଥିଲା । 2014ରେ ନିୟନ୍ତ୍ରିତ ବଜାର କମିଟି ଏକ ସୋସାଇଟି ଜରିଆରେ ଚଲାଇଥିଲା । କିନ୍ତୁ 6 ମାସ ପରେ ପୁଣି ବନ୍ଦ ହୋଇଗଲା । ବାରମ୍ବାର କ୍ଷତି ସହିବା ଯୋଗୁ ବହୁ ସଂଖ୍ୟାରେ ଚାଷୀ ପିଆଜ ଚାଷ ଛାଡିଦେଲେ । ଏବେ ଯାହାବି ଉତ୍ପନ୍ନ ହେଉଛି ସେତିକି ରଖିବାକୁ ଜାଗା ନାହିଁ । ଫଳରେ ଚାଷୀମାନେ ଉଚିତ ଦର ଠାରୁ କମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
20 ବର୍ଷ ପୂର୍ବେ ଏହା ନିର୍ମାଣ ହୋଇଥିବାବେଳେ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ପଡିଛି । କାନ୍ଥଫାଟି ଆଁ କରିଥିବାବେଳେ ଛାତର ପଲସ୍ତରା ଖସିଛି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ସ୍ବତନ୍ତ୍ର ବଜେଟ କରୁଛନ୍ତି । ତେବେ ଏହା କାହିଁକି କାମ କରୁନାହିଁ ତାହା ପିଆଜ ଚାଷୀମାନେ ବୁଝିପାରୁନାହାଁନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ