ଅନୁଗୋଳ: ଜିଲ୍ଲାର ହଣ୍ଡପା ଥାନା ଉରୁକୁଲା ଗାଁରେ ଘଟିଛି ଅଘଟଣ । ଚୋରା ମଦ ପିଇ ଜଣଙ୍କର ମୃତ୍ୟୁ ଅଭିଯୋଗ । ମୃତକ ସେହି ଗାଁର ବିକ୍ରମ ବେହେରା ବୋଲି ମିଳିଛି ପରିଚୟ ।
ବିକ୍ରମ ଗାଁ ମୁଣ୍ଡରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ରନ୍ଧା ମଦ ପିଇଥିଲା । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲା । ଫଳରେ ପରିବାର ଲୋକେ ଖୋଜାଖୋଜି କରି ଏକ ପଡିଆରେ ବିକ୍ରମର ମୃତଦେହ ପଡିଥିବା ଦେଖିଥିଲେ ।
ତୁରନ୍ତ ପୋଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଗାଁରେ ବ୍ୟାପକ ଦେଶୀ ମଦ କାରବାର ଚାଲିଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ