ଅନୁଗୋଳ: କାର୍ଯ୍ୟକ୍ଷମ ହୋଇଛି ଅନୁଗୋଳରେ ନିର୍ମାଣ ହୋଇଥିବା ବହୁ ପ୍ରତୀକ୍ଷିତ ବସ୍ ଟର୍ମିନାଲ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୮ କୋଟିରୁ ଅଧିକ ଟଙ୍କା । ପିପିପି ମୋଡ଼ରେ ଏହି ଟର୍ମିନାଲ କରାଯାଉଛି । ଏଠାରେ ଯାତ୍ରୀମାନଙ୍କ ପାଇଁ ୱେଟିଂ ହଲ୍ଠାରୁ ଆରମ୍ଭ କରି ରହିବା ପାଇଁ ଡ଼ର୍ମିଟରୀ, ରେଷ୍ଟୁରାଣ୍ଟ ଆଦିର ସମସ୍ତ ସୁବିଧା ସୁଯୋଗ ରହିଛି । ଖାଲି ସେତିକି ନୁହେଁ ବସ୍ ଡ୍ରାଇଭର, ବସ୍ ମାଲିକ ସଂଘ, ପୋଲିସ ଷ୍ଟେସନ ସହ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଆଦିର ମଧ୍ୟ ବ୍ୟବସ୍ଥା ରହିଛି । ଅନେକ ଦିନ ହେବ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ପାର୍କିଂ ଫିସ୍କୁ ନେଇ ହୋଇଥିବା ବିବାଦ ଯୋଗୁଁ ଏଠାରୁ ଗଡି ପାରୁନଥିଲା ବସ୍ ।
ଅନୁଗୋଳ ସହର ମଧ୍ୟରେ ପ୍ରାୟ ୧୦ ଏକର ପରିମିତ ଜାଗା ଉପରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବସ୍ ଟର୍ମିନାଲରୁ ଆଜିଠାରୁ ଗଡ଼ିଛି ବସ୍ । ଗତ ବର୍ଷ ଡିସେମ୍ବର 28 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଜିଲ୍ଲା ଗସ୍ତ ଆସି ଏହି ଅତ୍ୟାଧୁନିକ ବସ ଟର୍ମିନଲର ଉଦଘାଟନ କରିଥିଲେ । ବର୍ତ୍ତମାନ ସରକାର ନିଷ୍ପତ୍ତି ଅନୁସାରେ ଏହି ଫି' ଧାର୍ଯ୍ୟ ହେବା ପରେ ଆଜିଠାରୁ ବସ୍ ଗଡ଼ିବା ଆରମ୍ଭ ହୋଇଛି । ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପତାକା ଦେଖାଇ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି।
ଏହି ଟର୍ମିନାଲ ନିର୍ମାଣ ପାଇଁ ମିଲନ ଡେଭଲପର ପ୍ରାୟ ୫୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟରେ ପ୍ରଥମକରି ଅତ୍ୟାଧୁନିକ ସୁବିଧା ଥାଇ ଏହି ବସ୍ ଟର୍ମିନାଲ ପିପିପି ମୋଡ଼ରେ ଆଜିଠାରୁ ବିଧିବଦ୍ଧ କାର୍ଯ୍ୟକାରୀ ହୋଇଛି । ଏଠାରେ ଏକକାଳୀନ 20ରୁ ଅଧିକ ବସ ରହିବା ସହ ଯାତ୍ରୀ ମାନଙ୍କ ପାଇଁ ରହିଛି ସମସ୍ତ ସୁବିଧା ସୁଯୋଗ । ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷା ଗୃହ , ରେଷ୍ଟୁରାଣ୍ଟ ,ରାତ୍ରି ଯାପନ ର ବ୍ୟବସ୍ଥା ସହ କିଣାକିଣି ପାଇଁ ସପିଙ୍ଗ ମଲର ମଧ୍ୟ ବ୍ୟବସ୍ଥା ରହିଛି । ଏହି ଟର୍ମିନାଲ ମଧ୍ୟରେ ଖାଲି ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ରହିଛି ତାହା ନୁହଁ ବସ ଡ୍ରାଇଭର ମାନଙ୍କ ପାଇଁ ରେଷ୍ଟ୍ ରୁମ୍, ତେଲ ଟାଙ୍କି, ଗାଡ଼ି ମରାମତିର ସୁବିଧା, ପୋଲିସ ଷ୍ଟେସନ, ବସ୍ ମାଲିକଙ୍କ ପାଇଁ ଘର ଆଦିର ବ୍ୟବସ୍ଥା ରହିଛି । ଆଜିଠାରୁ ଏଠାରୁ ବସ୍ ଚଳାଚଳ ଆରମ୍ଭ କରିଥିବାରୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ଏହି ଟର୍ମିନାଲ ନିର୍ମାଣ ପାଇଁ 2012 ମସିହାରୁ MoU ହୋଇଥିବା ବେଳେ ଯାହାର ଆଜି ବାସ୍ଥବତା ରୂପାୟନ ହୋଇଛି ।
ଇଟିଭି ଭାରତ, ଅନୁଗୋଳ