ଅନୁଗୋଳ: ସାରା ରାଜ୍ୟରେ ଜାରି ରହିଛି କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ । ରାଜନୈତିକ ଦଳ, ସାମାଜିକ ସଂଗଠନ ସମତେ ବିଭିନ୍ନ ବର୍ଗର ଲୋକେ ଏବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆଜି (ଗୁରୁବାର) ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଆନ୍ଦୋଳନ ହୋଇଛି । ଦଳର ଜିଲ୍ଲା ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ରାଜା ଛକ ଠାରୁ ବିକ୍ଷୋଭ ଶୋଭାଯାତ୍ରା କରି ଥାନା ଛକରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା ହୋଇଥିଲା ।
ଦଳ ଅଭିଯୋଗ କରିଛି ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଅଛନ୍ତି । ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଗିରଫ ଦାବି କରାଯାଉ । ପରେ ମହିଳା ନେତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ