ଅନୁଗୋଳ: ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ ନାମରେ ଦଳର ହାଇକମାଣ୍ଡ ମୋହର ମାରିବା ପରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ । ପୌର ପରିଷଦର ୨୩ ଆସନରୁ ବିଜେପି ୧୩ ଟିରେ ବିଜୟୀ ହୋଇ ଉପାଧ୍ୟକ୍ଷ ଆସନ ପାଇଁ ମ୍ୟାଜିକ ନମ୍ବର ପାର କରି ଥିବାବେଳେ ବିଜେଡ଼ି ୧୦ ଟି ଆସନ ପାଇଥିଲା ।
ବିଜେଡ଼ି ପକ୍ଷରୁ କେହି ନାମାଙ୍କନ ଦାଖଲ ମଧ୍ୟ କରିନଥିଲେ । ସେପଟେ ତାଳଚେରରେ ଉପାଧ୍ୟକ୍ଷ ପଦ ବିଜେଡ଼ି ଖାତାକୁ ଯାଇଛି । ସେହିପରି ତାଳଚେର ପୌର ପରିଷଦର ବିଜେଡି ଉପନଗରପାଳ ପ୍ରାର୍ଥିନୀ ଭାବେ ୧୯ ନଂ ୱାର୍ଡର କାଉନସିଲର ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରପାଳିକାର ୨୧ ଟି ୱାର୍ଡରୁ ବିଜେଡ଼ି ୧୮ ଟି ସିଟ ହାତେଇ ଥିବାବେଳେ ବିଜେପି ମାତ୍ର ୩ ଟି ୱାର୍ଡରେ ଜିତିଥିଲା ।
ଫଳରେ ଆଜି ହୋଇଥିବା ଉପାଧ୍ୟକ୍ଷ ପଦବୀ ବିଜେଡ଼ିର ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ନିର୍ଦ୍ବନ୍ଦ୍ବରେ ହାସଲ କରିଛନ୍ତି । ସେହିପରି ଆଠମଲ୍ଲିକ ଏନଏସିର ଉପାଧ୍ୟକ୍ଷ ସିଟ ମଧ୍ୟ ବିଜେଡ଼ି ହାତେଇଛି । ବିଜେଡ଼ିର ଗଦାଧର ସ୍ୱାଇଁ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ସବୁ ଦଳର ବିଜୟୀ ନେତା ଓ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ