ଅନୁଗୋଳ: ଜମିବାଡି ବିବାଦକୁ ନେଇ ତୁମୁଳ କାଣ୍ଡ । ଗାଁ ଦାଣ୍ଡରେ ବୁଲିଲା ଟାଙ୍ଗିଆ, ଗଡିଲା ମୁଣ୍ଡ । ରକ୍ତ ରଞ୍ଜିତ ହେଲା ରାସ୍ତା । ଅନୁଗୋଳ ଜିଲ୍ଲା ଜରପଡା ଥାନା ବଡ଼ ହିଂସର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ନବିନା ସାହୁ । ଆହତ ଅଶାନ୍ତି ସାହୁ ଏବଂ ବାପି ସାହୁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, ଜିଲ୍ଲାର ଜରପଡା ଥାନା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ସେହି ନିଆଁ ଲିଭିନଥିବା ବେଳେ ଆଜି ପୁଣି କୁହୁଳିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ କାରଣରୁ ଗୋଟିଏ ପରିବାରର ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଆଉ ଜଣେ ପରିବାରର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Budget Session: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
ମିଳିଥିବା ଖବରଅନୁସାରେ, ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁଙ୍କ ପରିବାର ମଧ୍ୟରେ ଏକ ହାତ ଜମି ପାଇଁ ଅନେକ ଦିନ ହେଲା ଗଣ୍ଡଗୋଳ ଲାଗିରହିଥିଲା । ତେବେ ଆଜି ସକାଳୁ ଏହି ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଝଗଡା ସଂଘର୍ଷର ରୂପ ନେଇଥିଲା । ତେବେ ଟାଙ୍ଗିଆ ଆକ୍ରମଣରେ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଛନ୍ତି । ସେପଟେ ନବିନା ସାହୁଙ୍କ ପରିବାର ଲୋକଙ୍କ ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଆହତ ଆଶାନ୍ତି ଓ ବାପିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଖବରପାଇ ଜରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଅନୁଗୋଳ