ଯାଜପୁର: ଦୀର୍ଘ 8 ବର୍ଷ ହୋଇଗଲା । ଅଚଳ ହୋଇ ଘରେ ପଡ଼ି ରହିଛନ୍ତି ଦୀପକ । ବୟସର ଦ୍ବିତୀୟାର୍ଦ୍ଧରେ ନିଜ ଜୀବନ ପାଇଁ ମାଗୁଛନ୍ତି ଭିକ୍ଷା । ଏପଟେ କୋରୋନା ଯୋଗୁଁ ଯେଉଁ ଛୋଟିଆ ବେପାରଟିଏ କରୁଥିଲେ, ତାହା ମଧ୍ୟ ବନ୍ଦ । ମାଟି ଘରଖଣ୍ଡିକ ମଧ୍ୟ ବାତ୍ୟାରେ ଭାଙ୍ଗି ଯାଇଛି । ଫଳରେ ଘରେ ଦିନରେ ସୂର୍ଯ୍ୟ ଆଉ ରାତିରେ ତାରା ଦିଶୁଚି । ବର୍ଷା ହେଲେ ଏଣେ ତେଣେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି। ତଥାପି ପ୍ରଶାସନ ଆମ ଦୁଃଖ ବୁଝୁ ନାହାଁନ୍ତି କି ସ୍ବାମୀଙ୍କ ଚିକିତ୍ସା ପାଇଁ କିଛି ବି ପଦକ୍ଷେପ ନେଉନାହାଁନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ଦୀପକଙ୍କ ସ୍ତ୍ରୀ ରାଧାରାଣୀ ମହାନ୍ତି ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ଗ୍ରାମପଞ୍ଚାୟତ ହାଟସାହି ଗ୍ରାମର ଦୀପକ କୁମାର ମହାନ୍ତିଙ୍କ କଥା । ଯିଏକି ବାହାଘରର ବର୍ଷେ ପରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆଠବର୍ଷ ହେଲା ଅଚଳ ହୋଇ ଘରେ ପଡିରହିଛନ୍ତି । ଅପରପକ୍ଷରେ ବିଡ଼ିଓ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ଯାହା କରିବା କଥା ସମସ୍ତ ସହଯୋଗ କରାଯିବ ।
ଦିନଥିଲା ଅତି ଖୁସିବାସୀରେ ପରିବାରକୁ ସୁନ୍ଦର ଭାବେ ଚଳାଉଥିଲେ ଦୀପକ । ସାହିଭାଇରେ ତାଙ୍କର ଆଦର ଅନେକ ଥିଲା । ସେ ଥିଲେ ଗାଁ ଭିତରେ ଜଣେ ଅତ୍ୟନ୍ତ ପରୋପକାରୀ । କାହାରି ଦୁଃଖ ଦେଖିଲେ ପ୍ରଥମେ ସେ ହିଁ ପହଞ୍ଚିଯାନ୍ତି । ସେଠାରେ ଯଥାସମ୍ଭବ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ସହଯୋଗ କରିଥାନ୍ତି । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଦୀର୍ଘ 8 ବର୍ଷ ତଳେ ସଡକ ଦୁର୍ଘଟଣାରେ ଦୀପକ ଗୁରୁତର ଆହତ ହୋଇ ମେଡିକାଲରେ ପଡିଲେ । ଡାକ୍ତର କହିଲେ ଗୋଟେ ଗୋଡ଼ ଅପରେସନ ହେବ । ଅପରେସନ ହେଲା କିନ୍ତୁ ଦୀପକ ଏହାପରେ ହୋଇଗଲେ ଭିନ୍ନକ୍ଷମ । ଡାହାଣ ଗୋଡଟି ଅପରେସନ ପରେ ଏକପ୍ରକାର ଅଚଳ ହୋଇଗଲା । ଶେଷରେ ନିଜେ କରିଥିବା ରେଡ଼ିଓ ମରାମତି ଦୋକାନକୁ ତାଙ୍କୁ ବନ୍ଦ କରିବାକୁ ପଡିଲା । ଫଳରେ ସେ ହୋଇଗଲେ ପରିବାର ଉପରେ ବୋଝ ।
ଘର କହିଲେ ଚାଳଛପର କୁଡିଆ ଖଣ୍ଡେ । ଗତ ବାତ୍ୟା ସମୟରେ ଅଧାରୁ ଅଧିକ ଭାଙ୍ଗି ଯାଇଥିଲା । ଆଉ ବାକି ଅଧାରେ ସ୍ତ୍ରୀ ଓ ଆଠ ବର୍ଷର ଝିଅକୁ ନେଇ ସେ ରୁହନ୍ତି । ବର୍ଷା, ପବନ ହେଲେ ନିକଟରେ ଥିବା ପଡ଼ୋଶୀଙ୍କ ଘରେ ଆଶ୍ରୟ ନିଅନ୍ତି । କେତେଦିନ କାହାଘରେ ଏହିପରି ଆଶ୍ରୟ ନେଉଥିବେ, ଏହା କହିବା ବେଳେ କୋହ ଆସିଯାଉଥାଏ ସ୍ତ୍ରୀ ରାଧାରାଣୀଙ୍କର । ପ୍ରଶାସନକୁ କହିକହି କିଛି ଫଳ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ମଧ୍ୟ ନିବେଦନ କରିଛନ୍ତି ।
ଅପରପକ୍ଷରେ ଏ ସମ୍ପର୍କରେ କୋରେଇ ବିଡ଼ିଓଙ୍କୁ ଜଣାଇବା ପରେ ପ୍ରଥମେ ତାଙ୍କର ଭିନ୍ନକ୍ଷମ ଭତ୍ତା କିଭଳି ହୋଇପାରିବ ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା କିଭଳି ତାଙ୍କପାଖରେ ପହଞ୍ଚି ପାରିବ ସେ ବିଷୟରେ ବିଡ଼ିଓ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ