ଅନୁଗୋଳ: ପ୍ରାୟ ସପ୍ତାହେ ହେଲା ଉଛୁଳୁଛି ମହାନଦୀ ସାତକୋଶିଆ ଗଣ୍ଡ । ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବା ପରେ ସାତକୋଶିଆ ଗଣ୍ଡରେ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି । ଗଣ୍ଡର ଦୁଇ କୂଳକୁ ଛୁଇଁ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଛି । ଆଗକୁ ଯଦି ହୀରାକୁଦର ଅଧିକ ଗେଟ ଖୋଲାଯାଏ ତେବେ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ପ୍ରତି ବିପଦ ରହିଛି । ଯଦିଓ ଏଠାରେ ବର୍ତ୍ତମାନ ସୁଦ୍ଧା ସେଭଳି ସ୍ଥିତି ସୃଷ୍ଟି ହୋଇନାହିଁ ତେବେ ଗଣ୍ଡର ପ୍ରାକୃତିକ ଆବାସସ୍ଥଳୀରେ ଜନ୍ମ ନେଇଥିବା ଘଡ଼ିଆଳ ଛୁଆଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । କାରଣ ଗତ ବର୍ଷ ବନ୍ୟାଜଳରେ ପ୍ରାୟ ୨୮ଟି ଘଡ଼ିଆଳ ଛୁଆ ଭାସି ଯାଇଥିଲେ । ବର୍ତ୍ତମାନ ଏହା ଉପରେ ବନ ବିଭାଗ କଡା ନଜର ରଖିଛି । କିନ୍ତୁ ବନ୍ୟାଜଳ ପ୍ରଭାବରୁ ସେମାନଙ୍କୁ ସୁରକ୍ଷା ଦେବା ଆଦୌ ସମ୍ଭବ ହୋଇପାରୁ ନାହିଁ ।
୨୦୨୧ ମେ' ମାସ ୨୭ ତାରିଖରେ ସାତକୋଶିଆ ବଲଦମରା ଠାରେ ଦୀର୍ଘ ୪୦ ବର୍ଷ ପରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ସେହିପରି ଚଳିତ ବର୍ଷ ମେ' ମାସ ୧୦ ତାରିଖରେ ମଧ୍ୟ ସାତକୋଶିଆ ଗଣ୍ଡରେ ୩୨ଟି ଛୁଆ ଜନ୍ମ ହୋଇଛନ୍ତି । କିନ୍ତୁ ୨୦୨୧ରେ ଜନ୍ମ ହୋଇଥିବା ଗୋଟିଏ ହେଲେ ଛୁଆ ନଜରକୁ ଆସୁ ନାହାନ୍ତି । କିଛି ଦିନ ପୂର୍ବରୁ ପୁରୀ କେନାଲରୁ ୩ଟି ଘଡ଼ିଆଳ ଛୁଆ ଉଦ୍ଧାର ହୋଇଥିଲେ । ଆଉ ଦୁଇ ତିନୋଟି ମୃତ ଅବସ୍ଥାରେ ମିଳିଥିଲେ । ଗଣ୍ଡରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ସେମାନେ ଭାସି ଯାଇଥିଲେ । ସେହିପରି ଚଳିତ ବର୍ଷ ଜନ୍ମ ହୋଇଥିବା ୩୨ଟି ଯାକ ଘଡ଼ିଆଳ ଛୁଆ କେଉଁଠି ଅଛନ୍ତି କିଛି ଜଣାପଡୁନାହିଁ । ଏପରିକି ମାଆ ଘଡ଼ିଆଳର ଅବସ୍ଥିତି ମଧ୍ୟ ଜଣାପଡୁନି । କିଛିଦିନ ପୂର୍ବରୁ ସେମାନଙ୍କ ସନ୍ଧାନ ମିଳିଥିଲା । ବନ ବିଭାଗ ସ୍ବତନ୍ତ୍ର ଟିମ୍ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି । ହେଲେ ଚଳିତ ବର୍ଷ ପୁଣି ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଘଡ଼ିଆଳ ଛୁଆଙ୍କ କୌଣସି ପତ୍ତା ମିଳୁନାହିଁ ।
ଘଡ଼ିଆଳ ଭଳି ବିରଳ ପ୍ରଜାତିର କୁମ୍ଭୀର ଦୀର୍ଘ ୪୦ ବର୍ଷ ପରେ ସାତକୋଶିଆର ପ୍ରାକୃତିକ ଆବାସସ୍ଥଳୀରେ ଦୁଇ ଦୁଇ ଥର ଛୁଆ ଜନ୍ମ କରିଥିଲେ । ହେଲେ ପ୍ରଥମ ଥର ସବୁ ଛୁଆ ବନ୍ୟାଜଳରେ ଭାସିଗଲେ । ଏବେ ଦ୍ଵିତୀୟ ଥର ଜନ୍ମ ହୋଇଥିବା ୩୨ଟି ଛୁଆ ସୁରକ୍ଷିତ ରହିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପୁଣି ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ରଖିବା ଆଶା ମଉଳି ଯାଇଛି । ଯାହାକୁ ନେଇ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ବନ ବିଭାଗ ପାଇଁ ମଧ୍ୟ ଏଭଳି ସ୍ଥିତିରେ ଘଡ଼ିଆଳ ସୁରକ୍ଷା ଓ ବଂଶ ବୃଦ୍ଧି ଏକ ଚ୍ୟାଲେଞ୍ଜ ହୋଇପଡିଛି । କାରଣ ସାତକୋଶିଆ ଗଣ୍ଡ ଘଡ଼ିଆଳମାନଙ୍କ ପାଇଁ ପ୍ରକୃଷ୍ଟ ଆବାସସ୍ଥଳୀ ହୋଇଥିବାରୁ ଏଠାରେ ନନ୍ଦନକାନନରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୯ଟି ଘଡ଼ିଆଳ ଛଡା ଯାଇଛି ।
ଏଥିପାଇଁ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ କରାଯାଇ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ହେଲେ ପ୍ରାକୃତିକ ପରିବେଶରେ ପ୍ରକୃତି ଦାଉ ସାଧୁଛି । ସ୍ଥାନୀୟ ବାସିନ୍ଦା ଘଡ଼ିଆଳ ଛୁଆ ଦୃଷ୍ଟିକୁ ଆସୁ ନଥିବା କହୁଥିବା ବେଳେ ସାତକୋଶିଆ ଡିଏଫଓ କହିଛନ୍ତି, '' କିଛି ଛୁଆ ବନ୍ୟା ଜଳରେ ଭାସି ଯାଇଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଯେଉଁ ସ୍ଥାନରେ ସେମାନେ ମାଆ ସହ ଥିଲେ ସେଠାରେ ସେମାନଙ୍କୁ ଛାଡି ଦିଆଯାଇଛି ।'' ସାତକୋଶିଆ ଗଣ୍ଡରେ ପ୍ରତିବର୍ଷ ଏଭଳି ବନ୍ୟାଜଳ ପ୍ରବାହିତ ହୁଏ । ଫଳରେ ଘଡ଼ିଆଳ ତଳ ମୁଣ୍ଡକୁ ଭାସି ଯାଆନ୍ତି । ତେଣୁ ଘଡ଼ିଆଳ ସୁରକ୍ଷା ପାଇଁ ଆହୁରି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ।
ଇଟିଭି ଭାରତ, ଅନୁଗୋଳ