ଅନୁଗୋଳ: ଅସାଧୁ ବ୍ୟକ୍ତିଙ୍କ ହାତରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା । ଯୋଜନାରେ ଅନ୍ତର୍ଭୂକ୍ତ ପାଇଁ ଶ୍ରମିକ ପଞ୍ଜିକରଣ ଓ ନିର୍ମାଣ ଶ୍ରମିକ କାର୍ଡ କରାଇଦେବା ନାଁରେ କରାଯାଉଛି ଶୋଷଣ । ଯାହାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଅନୁଗୋଳରେ ।
ତେବେ କାର୍ଡ ପିଛା ହଜାରେ ଟଙ୍କା ଲେଖାଏଁ ଚଳୁ କରି ଶ୍ରମିକଙ୍କୁ ଠକୁଛି ସମୃଦ୍ଧ ଭାରତ ନିର୍ମାଣ ମଜଦୁର ସଂଘ ନାମକ ଏକ ସଂସ୍ଥା । ଜିଲ୍ଲାର ଶହ ଶହ ନିର୍ମାଣ ଶ୍ରମିକଙ୍କଠାରୁ ସଂସ୍ଥାର ଏଜେଣ୍ଟ ଲେବର କାର୍ଡ କରାଇ ଦେବା ନାଁରେ ହଜାରେ ଟଙ୍କା ଲେଖା ଠକି ନେଇଥିବା ଅଭିଯୋଗରେ ସଂସ୍ଥାର ଦୁଇ ଜଣଙ୍କୁ ଅଟକ ରଖିଥିଲେ ଶ୍ରମିକ । ଅନୁଗୋଳ ସହରର ଅମଲାପଡାରେ ଏକ ଭଡା ଘରେ ସମୃଦ୍ଧ ଭାରତ ନିର୍ମାଣ ମଜଦୁର ସଂଘ ନାମରେ ସଂସ୍ଥା ଖୋଲି ଶ୍ରମିକଙ୍କୁ ଠକିଥିବା ଜଣା ପଡିଛି । ଉକ୍ତ ସଂସ୍ଥାର ମୁଖ୍ୟ ବୋଲି କହୁଥିବା ଯଜ୍ଞସେନ ପଣ୍ଡା ଓ ତାଙ୍କ ସହକର୍ମୀ ସସ୍ମିତା ପ୍ରଧାନ ଗାଁ ଗାଁ ବୁଲି ଶ୍ରମିକଙ୍କୁ ଲେବର କାର୍ଡ କରାଇ ଦେବା ନାଁରେ ଫର୍ମ ସହିତ ହଜାରେ ଟଙ୍କା ନେଇଥିଲେ । ହେଲେ ଏହା ଭିତରେ ବର୍ଷେ ବିତି ଯାଇଥିଲେ ମଧ୍ୟ ନା ମିଳୁଛି କାର୍ଡ ନା ଟଙ୍କା ।
ତେବେ ଏନେଇ ସଂସ୍ଥାର ସମ୍ପାଦକ କହିଛନ୍ତି ତାଙ୍କୁ କୁଆଡେ ଲେବର କାର୍ଡ କରାଇବା ପାଇଁ ସରକାର ଅନୁମତି ଦେଇଛନ୍ତି । ଏହାର ବାସ୍ତବ ଚିତ୍ର ଜାଣିବା ପାଇଁ ଆମ ପ୍ରତିନିଧି ଅନୁଗୋଳ ଶ୍ରମ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ମଧ୍ୟ ଅନେକ ସଂଖ୍ୟାରେ ଶ୍ରମିକ ଲେବର କାର୍ଡ କରାଇବା ପାଇଁ କିଛି ଦଲାଲଙ୍କ ହାବୁଡରେ ପଡିଥିବାର ଦେଖିଥିଲେ । ଆମ ପ୍ରତିନିଧିଙ୍କୁ ଦେଖି କିଛି ଦଲାଲ କାର୍ଯ୍ୟାଳୟ ଛାଡି ଦୌଡି ପଳାଇଥିଲେ ।
ଯାହାକୁ ନେଇ ଆମ ପ୍ରତିନିଧି ଡିଭିଜନାଲ ଲେବର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସେ କହିଛନ୍ତି, ଶ୍ରମିକ ପଞ୍ଜିକରଣ ଏକ ସରକାରୀ ବ୍ୟବସ୍ଥା । କୌଣସି ବେସରକାରୀ ଲୋକ ଏହା କରିପାରିବେ ନାହିଁ । ଯଦି ଏହି ଘଟଣା ଘଟିଛି ତେବେ ଏହାର ତଦନ୍ତ ହେବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ