ଅନୁଗୋଳ: ଛେଣ୍ଡିପଦା ବନାଞ୍ଚଳରେ ବିପୁଳ ପରିମାଣରେ ବେଆଇନ କାଠ ଜବତ କଲା ବନ ବିଭାଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଗଡିଆ ରଥ ସାହିର ଏକ ନିର୍ମାଣଧିନ ଘର ଉପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ କାଠ ଓ ଫର୍ଣ୍ଣିଚର ଜବତ କରାଯାଇଛି ।
ବନ ବିଭାଗ ସୂଚନା ଅନୁଯାୟୀ ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଯେଉଁଠାରୁ ୧୫୦ ରୁ ଅଧିକ ଖଣ୍ଡ ଶାଗୁଆନ କାଠ , ଅଧା ତିଆରି କାଠ ଜିନିଷ ,ଦୁଇଟି ଶାଳକାଠ ଗଣ୍ଡି ଓ ଫର୍ଣ୍ଣିଚର ତିଆରି ଯନ୍ତ୍ରପାତି ଆଦିକୁ ଜବତ କରାଯାଇଛି। ଜବତ କାଠର ମୂଲ୍ୟ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି ।
ବନବିଭାଗକୁ ଦେଖି ସଂପୃକ୍ତ କାଠ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି । ତେବେ ଏତେ ପରିମାଣର କାଠ ଜବତ ହେବା ପରେ କେହି ଗିରଫ ହୋଇନଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ