ଅନୁଗୋଳ: ଫାଇନାନ୍ସ କମ୍ପାନୀ ରିକଭରୀ ଏଜେଣ୍ଟଙ୍କୁ ବିଚ ରାସ୍ତାରେ ମାଡ଼ । ଚାରି ଜଣ ଦୁର୍ବୃତ୍ତ ଗାଡି ଅଟକାଇ ଏଜେଣ୍ଟଙ୍କୁ ନିର୍ଧୁମ ମାଡ ମାରିଥିବାର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ଘଟିଛି ଅନୁଗୋଳ ଗାନ୍ଧୀ ମାର୍ଗରେ ।
ଗତ ୨ ତାରିଖ ଦିନ ସହର ଗାନ୍ଧିମାର୍ଗରେ ଦୁବୃର୍ତ୍ତମାନେ ଗୁଣ୍ଡାରାଜ କରିଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଫାଇନାନ୍ସ କମ୍ପାନୀର ରିକଭରୀ ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ ମାରିଛନ୍ତି । ଏହି ଏଜେଣ୍ଟ ଜଣଙ୍କ ଦୁବୃର୍ତ୍ତଙ୍କ ମାଡରେ ଲହୁଲୁହାଣ ହୋଇପଡିଛନ୍ତି । ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି ।
ଗାନ୍ଧିମାର୍ଗରେ ବୁଲେଟରେ ଯାଉଥିବା ଏହି ଫାଇନାନ୍ସ କମ୍ପାନୀର ରିକଭରୀ ଏଜେଣ୍ଟଙ୍କ ବାଟ ଓଗାଳିଥିଲେ ୪ ଦୁର୍ବତ୍ତ । ଦୁଇଟି ବାଇକରେ ଏହି ଦୁର୍ବୃତ୍ତମାନେ ଆସିଥିଲେ । ମୁହଁରେ କପଡା ବାନ୍ଧିବା ସହିତ ବାଇକର ନମ୍ବର ପ୍ଲେଟ ମଧ୍ୟ ଘୋଡାଇ ଦେଇଥିଲେ । ଜଣେ ଦୁବୃର୍ତ୍ତ ବାଇକ ପାଖରେ ରହିଥିବା ବେଳେ ଅନ୍ୟ ୩ଜଣ ରିକଭରୀ ଏଜେଣ୍ଟକୁ ଆକ୍ରମଣ କରିଥିଲେ । କ୍ରିକେଟ ଷ୍ଟମ୍ପରେ ଅତି ନିର୍ଦ୍ଦୟ ଭାବେ ପ୍ରହାର ତାଙ୍କ ଉପରେ ପ୍ରହାର କରିଚାଲିଥିଲେ । ରାସ୍ତାରେ ଏପରି ଗୁଣ୍ଡାରାଜ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ରୋକିବାକୁ ସାହସ ବି କରିପାରିନଥିଲେ ।
ଜୀବନ ବିକଳରେ ରିକଭରୀ ଏଜେଣ୍ଟ ଜଣଙ୍କ ଏକ ରାସନ ଦୋକାନ ଭିତରକୁ ପଶିଯାଇଥିଲେ । ଦୁବୃର୍ତ୍ତମାନେ ଦୋକାନ ଭିତରୁ ଟାଣିଆଣି ତଳେ ପକାଇ ପୁଣି ପିଟିଥିଲେ । ପୁରା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏନେଇ ପୋଲିସରେ କୌଣସି ମାମଲା ହୋଇ ନାହିଁ କି ଆକ୍ରମଣ ପଛର କାରଣ ମଧ୍ୟ ଜଣାପଡି ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ