ଅନୁଗୋଳ: ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ । ପ୍ରେମ ବିବାହ ପରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ସଦର ଥାନା ବେନ୍ତପୁର ଗାଁରେ। ଘର ଭିତରୁ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ ।
ମିଳିଥିବା ସୂଚନା ଅନୁୟାୟୀ ବେନ୍ତପୁର ଗାଁର ଧ୍ରୁବଚରଣ ପରିଡାଙ୍କ ପୁଅ ଚିତ୍ତରଞ୍ଜନଙ୍କୁ ତାଳଚେର ଅଞ୍ଚଳ ରବିନାରାୟଣ ବେହରାଙ୍କ ଝିଅ ସସ୍ମିତା ବେହେରା ପ୍ରେମ ବିବାହ କରିଥିଲେ । ଯେଉଁଥିରେ ଉଭୟ ପରିବାରର ସହମତି ରହିଥିଲା। ପରବର୍ତ୍ତୀ ସମୟରେ ଚିତ୍ତଙ୍କ ପରିବାର ଲୋକେ ସସ୍ମିତାଙ୍କୁ ଯୌତୁକ ବାବଦକୁ ଦୁଇ ଲକ୍ଷଟଙ୍କା ଆଣିବାକୁ କହିବା ସହ ମାର ପିଟ କରି ନାନା ନିର୍ଯାତନା ଦେଉଥିଲା। ଏନେଇ ମଧ୍ୟ ସସ୍ମିତା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୁଅ ଘରକୁ ଆସି ଆଲୋଚନା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହାର ସମାଧାନ ହେବା ପରିବର୍ତ୍ତେ ଅଧିକ ନିର୍ଯାତାନର ଶିକାର ହୋଇଥିଲେ ମହିଳା। ତେଣୁ ତାକୁ ମାଡ ମାରିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।