ଅନୁଗୋଳ: ତାଳଚେର କୋଇଲା ଖଣିରେ ଚାଲୁଥିବା କୋଇଲା ଟ୍ରକରେ ପାଲ ଭିଡ଼ିବାକୁ ନେଇ ଦେଖାଦେଇଛି ବିବାଦ। କୋଇଲା ଖଣିରେ କୋଇଲା ପରିବହନ ଗାଡ଼ିରେ ପାଲ ଘୋଡ଼ା ଯାଉନାହିଁ। ଏହାସହ ପାଲ ଘୋଡ଼ାଇବା କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ଶ୍ରମିକଙ୍କୁ କାମ ଦିଆଯାଉନାହିଁ। ଏନେଇ ଆଜି(ସୋମବାର) ଶ୍ରମିକ ସଂଗଠନ ଅଭିଯୋଗ କରିଛି।
ବିଭିନ୍ନ କୋଇଲା ପରିବହନ ସଂସ୍ଥା କୋଇଲା ପରିବହନ ଗାଡ଼ିରେ ପାଲ ଘୋଡ଼ାଇବା ପାଇଁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ସ୍ଥାନୀୟ ଠିକାସଂସ୍ଥା ଏହି ଅନୁଦାନକୁ ହରିଲୁଟ କରୁଥିବା ଅଭିଯୋଗ ହୋଇଛି। ଏଥିରେ ସ୍ଥାନୀୟ ରାଜନେତା ସଂପୃକ୍ତ ଠିକାସଂସ୍ଥକୁ ସହଯୋଗ କରୁଥିବା ଅଭିଯୋଗ କରିଛି ଶ୍ରମିକ ସଂଗଠନ।
ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନାହିଁ। ଗତ ଅକ୍ଟୋବର 16 ତାରିଖରେ ଶ୍ରମିକ ସଂଗଠନ ତାଳଚେର ଉପଜିଲ୍ଲାପାଳଙ୍କ ସହ ଏକ ବୈଠକ କରିଥିଲେ। ତେବେ ସ୍ଥାନୀୟ ବିଧାୟକ ଓ କେତେକ ଠିକାସଂସ୍ଥା କର୍ମଚାରୀ ଆସି ବୈଠକକୁ ଚାଲିବାକୁ ଦେଇନଥିଲେ। ଏହାପୁର୍ବରୁ ଅକ୍ଟୋବର 5 ତାରିଖ ମଧ୍ୟ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାସହ ସ୍ଥାନୀୟ ବିଧାୟକ ପାଲଭିଡ଼ା ସଂଘର ସଭାପତି ରହିଥିବା ସୂଚନା ମିଳିଛି। ପାଲ ଭିଡ଼ିବା ପାଇଁ ଟଙ୍କା ଆସୁଛି ଓ ଏଥିରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି କହିଛନ୍ତି। ଏନେଇ ସ୍ଥାନୀୟ ଶ୍ରମିକ ସଂଗଠନ ଅଭିଯୋଗ କରିଛି।
ତେବେ ଆଜି(ସୋମବାର) ମଧ୍ୟ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଉଚିତ ପଦକ୍ଷେପ ନେବାକୁ ଦାବି କରିଛି ଶ୍ରମିକ ସଂଗଠନ। ଗରିବ ଖଟିଖିଆଙ୍କ ପାଇଁ ଆସୁଥିବା ଅନୁଦାନ ଟଙ୍କା ଚଳୁ କରି ସେମାନଙ୍କ ହକ ଛଡ଼ାଇ ନେଉଥିବା ଅଭିଯୋଗ ହୋଇଛି। ତେବେ ଘଟଣାକୁ ନେଇ ସ୍ଥାନୀୟ ଠିକା ସଂସ୍ଥା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ