ଅନୁଗୋଳ: ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି 13ଜଣ ଫସିରହିଥିଲେ । ପ୍ରଥମେ 9ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଗତକାଲି ଆଉ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।ଏପର୍ଯ୍ୟନ୍ତ 3 ଶ୍ରମିକ ନିଖୋଜ ଥିବାବବେଳେ ଏ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ । ଜିଲ୍ଳାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଆଜି(ଗୁରୁବାର) ଜିଲ୍ଳା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ତ୍ବରେ ଶତାଧିକ କର୍ମୀ ଓ ନେତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଏମସିଏଲର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସହ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ନିରୀହ ଶ୍ରମିକମାନଙ୍କ ଜୀବନ ଯାଇଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।
ଏହାସହ ଖଣି ଭିତରେ ପ୍ରକୃତରେ କେତେ ଜଣ ଶ୍ରମିକ ଥିଲେ ଓ କେତେ ଗାଡି ଥିଲା କିଛି ସଠିକ ସୂଚନା ଦେଉ ନାହିଁ ଏମସିଏଲ । ଏହିସବୁ କଥାକୁ ପ୍ରତିବାଦ କରି ଘଟଣାର ସିବିଆଇ ତଦନ୍ତ କରିବା ସହ ଭରତପୁର ଖଣି ମହାପ୍ରବନ୍ଧକଙ୍କୁ ଗିରଫ କରିବା ସହ ମୃତାହତକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛି କଂଗ୍ରେସ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ