ଅନୁଗୋଳ: କୋରୋନା କଟକଣା ଏବେ ଅନେକ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବାନ୍ଧି ଦେଇଛି । ସରକାର ଅନଲାଇନରେ ଶିକ୍ଷାଦାନକୁ ଗୁରୁତ୍ବ ଦେଉଥିବା ବେଳେ ଅନେକ ଏବେ ସେଇ ଶିକ୍ଷାଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନଲାଇନ ଲାଇନ ଶିକ୍ଷା ପାଇଁ ଆବଶ୍ୟକ ସାଧନ ନାହିଁ ସମସ୍ତଙ୍କ ପାଖରେ । ଅନଲାଇନରେ ପାଠ ପଢ଼ାର ପାଇଁ ଆବଶ୍ୟକ ହୋଇଥାଏ ଏକ ସ୍ମାର୍ଟ ଫୋନର । ଯାହା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ସେପଟେ ଅନେକ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ସ୍ମାର୍ଟ ଫୋନ କିଣିଛନ୍ତି । ଯାହା ପାଇଁ ବଢିଛି ସ୍ମାର୍ଟ ଫୋନର ବିକ୍ରି । ତେବେ କିଭଳି ରହିଛି ଅନଲାଇନ ପାଠପଢା ଓ ତାର ବାସ୍ତବତା ଆସନ୍ତୁ ଦେଖିବା..
କୋରୋନା ବଦଳାଇ ଦେଇଛି ପାଠପଢା ର ଠିକଣା । ସ୍କୁଲ କଲେଜ ସବୁ ତାଲା ପଡିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ଘରେ ବସି ପାଠ ପଢୁଛନ୍ତି । ଯେଉଁ ପାଠପଢା ପାଇଁ ମାଧ୍ୟମ ହୋଇଛି ଟେଲିଭିଜନ ଓ ସ୍ମାର୍ଟ ମୋବାଇଲ ଫୋନ । ଯେଉଁ ମାନଙ୍କ ପାଖରେ ଏହି ସବୁ ସାଧନ ଅଛି ସେମାନେ ଯାହା ଯେମିତି ପାଠପଢି ପାରୁଛନ୍ତି । ହେଲେ ଯେଉଁମାନଙ୍କ ପାଖରେ ଏହି ସବୁ ସାଧନ ନାହିଁ ସେମାନେ କଣ କରୁଛନ୍ତି ତାହା ଜାଣିବା ପାଇଁ ଆମ ରିପୋର୍ଟର ପହଞ୍ଚିଥିଲେ ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ।
ତେବେ ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ନବମ ଶ୍ରେଣୀର ସତ୍ୟବାନ ନାଏକ । ବାପାଙ୍କ ମୃତ୍ୟୁ ପରେ ମା' ମୂଲ ଲାଗି ପୁଅକୁ ପାଠ ପଢ଼ାଉଛନ୍ତି । ଏବେ କୋରୋନା କଟକଣା ହେବା ଦିନଠାରୁ ସତ୍ୟବାନଙ୍କ ପାଠପଢ଼ାରେ ସତେ ଯେମିତି କଟକଣା ଲାଗି ଯାଇଛି । ଯେଉଁଠି ମୂଲ ଲାଗିଲେ ଘରେ ଚୁଲି ଜଳେ ସେଠି ସ୍ମାର୍ଟ ଫୋନ ଟିଏ କିଣିବା ସତ୍ୟବାନ ପାଇଁ ସ୍ୱପ୍ନ ହୋଇଥିବାରୁ ପାଠପଢ଼ା ଡୋରି ବାନ୍ଧି ବସିଛି ।
ଖାଲି ଏହି ସତ୍ୟବାନ ନୁହେଁ ସମାନ ଦଶା ଭିଗୁଛି ଦଶମ ଶ୍ରେଣୀରେ ପଡୁଥିବା ଛାତ୍ରୀ ପ୍ରିୟତମା । ଅନଲାଇନ ଶିକ୍ଷାପାଇଁ ଯେଉଁ ସ୍ମାର୍ଟଫୋନ ଅବଶ୍ୟକତା ରହିଛି ତାଙ୍କୁ କିନ୍ତୁ ତାଙ୍କ ପରିବାର ଲୋକେ ଦେଇ ପାରିନାହାନ୍ତି । କେବଳ ପ୍ରିୟତମା କି ସତ୍ୟବାନ ନୁହନ୍ତି ମୋବାଇଲ ଟିଏ ନଥିବାରୁ ଅନେକ ଛାତ୍ରଛାତ୍ରୀ ଏହି ଅନଲାଇନରେ ଶିକ୍ଷା ଦାନ ପାଇବାରୁ ବଞ୍ଚିତ ଅଛନ୍ତି । ସେପଟେ ଇଂରାଜୀ ମାଧ୍ୟମ ଓ ସହରାଞ୍ଚଳରେ ରହୁଥିବା ପିଲାମାନଙ୍କୁ ତାଙ୍କ ଅଭିଭାବକ ପାଠପଢ଼ା ପାଇଁ ସ୍ମାର୍ଟ ଫୋନ କିଣିଛନ୍ତୁ । ଫଳରେ ଗତକିଛି ମାସ ମଧ୍ୟରେ ସ୍ମାର୍ଟ ଫୋନର ବିକ୍ରି ମଧ୍ୟ ବୃଦ୍ଧି ପାଇଛି । ମିଳିଥିବା ତଥ୍ୟ ଆଧାର ରେ ଜିଲାରେ ପ୍ରାୟ ୪୦ ରୁ ୫୦ ପ୍ରତିଶତ ସ୍ମାର୍ଟର ବିକ୍ରି ବଢିଯାଇଛି । ତେବେ ଅନ ଲକ ୱାନ ସମୟରେ ଯେଉଁ ମାତ୍ରାରେ ମୋବାଇଲ ବିକ୍ରି ବଢିଥିଲା ଏବେ ସେଥିରେ ହ୍ରାସ ହୋଇଛି ।
ଦେଖିବାକୁ ଗଲେ ଗ୍ରାମାଞ୍ଚଳରେ ରହୁଥିବା ଗରିବ ପିଲାଙ୍କ ପାଇଁ ଅନଲାଇନ ଶିକ୍ଷା ହୋଇଯାଇଛି ଅପହଞ୍ଚ । ଏଭଳି ସ୍ଥଳେ ଏହି ପିଲାଏ କିଭଳି ଶିକ୍ଷା ଲାଭ କରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ