ଅନୁଗୋଳ: ଭଦ୍ରକରେ ଶେଷ ହୋଇଛି ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା । ଚଳିତ ମାସ ୨୬ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୨୦ତମ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେଇ ଅନୁଗୋଳର ଟାଇକୋଣ୍ଡ ଖେଳାଳି ବେଶ ସଫଳତା ଅର୍ଜନ କରିଛନ୍ତି । ଭଦ୍ରକ ଜିଲ୍ଲା ଅଗ୍ରସେନ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଖେଳାଳୀମାନେ ୧୬ଟି ପଦକ ହାସଲ କରି ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଯେଉଁଥିରେ ସ୍ଵର୍ଣ୍ଣ ସମେତ ରୌପ୍ୟ ଓ କାଂସ୍ୟ ପଦକ ରହିଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାର ୧୯ ଜଣ ଖେଳାଳିଙ୍କ ସହିତ ୪ ଜଣ ବିଚାରକ ଓ ଜଣେ ଟାଇକୋଣ୍ଡ ପ୍ରଶିକ୍ଷକ ଅଂଶ ଗ୍ରହଣ କରିଥିଲେ ।
ତେବେ ଅନୁଗୋଳ ପାଇଁ ପଦକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଲକ୍ଷ୍ନୌଠାରେ ହେବାକୁ ଥିବା ଜାତୀୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଭାରତର ଟାଇକୋଣ୍ଡ ଜନକ କୁହାଯାଉଥିବା ଡଃ ଜିମି ଆର୍ ଜଗଦୀୟାନି ଓ ଟାଇକୋଣ୍ଡ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସେହିଭଳି ଏହି ରାଜ୍ୟସ୍ତରୀୟ ସ୍କ୍ବାଏ ପ୍ରତିଯୋଗିତା ରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଜାନୁଆରୀ 4 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ରାଜସ୍ଥାନ ଅଭିମୁଖେ ଯାତ୍ରା କରିବେ । ସେଠାରେ ମଧ୍ୟ ଅନୁଗୋଳର ଏହି କୃତି ଖେଳାଳିମାନେ ରାଜ୍ୟକୁ ଗୌରବାନ୍ବିତ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ପ୍ରେସିଡେଣ୍ଟ କପ ଓପନ ଟାଇକୋଣ୍ଡ ଚମ୍ପିଆନସିପ
ଜାତୀୟସ୍ତରୀୟ ସ୍କ୍ବାଏ ପ୍ରତିଯୋଗିତାରେ ବାଳିକା ବିଭାଗରେ ଶ୍ରୀୟାଶ୍ରୀ ପ୍ରଧାନ, ଦୃଷ୍ଟି ସିଂହ ଯାଦବ, ସ୍ଵାତି ସ୍ବାଗତିକା ଦାସ ଓ କାବ୍ୟା ଦାଶ ଅଂଶ ଗ୍ରହଣ କରିବେ । ସେହିଭଳି ବାଳକ ବିଭାଗରେ ଏସ୍କେ କସିଫ, କେ ସାଇ ଆଦିତ୍ୟ, ସିତାଂଶୁ ସ୍ଥିତପ୍ରଜ୍ଞା ନାୟକ ଅଂଶ ଗ୍ରହଣ କରିବେ । ଉକ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଗୋଳ ଜିଲ୍ଲାର କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ୍, ଶାରୀରିକ ଶିକ୍ଷା ନିରୀକ୍ଷକ ଭିକାରୀ ବନ୍ଧୁ ସହୁ, ଅନୁଗୋଳ ଟାଇକୋଣ୍ଡୋ ସଂଘର ସଭାପତି ନୀଳମଣି ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଓ ପର୍ଶୁରାମ ଦାଶ, ଆଇନଜୀବୀ ଓ ଉପଦେଷ୍ଟା ପ୍ରଦୀପ କୁମାର ଦେବତା ସମ୍ବର୍ଦ୍ଧନା ଜଣାଇଛନ୍ତି । ଉକ୍ତ ଛାତ୍ରଛାତ୍ରୀମାନେ ଅନୁଗୋଳ ଟାଇକୋଣ୍ଡ ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ଠାରୁ ଶିକ୍ଷା ଅର୍ଜନ କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଟାଇକୋଣ୍ଡ ଦେଇଛି ପରିଚୟ, ଆତ୍ମରକ୍ଷା କୌଶଳ ଶିଖୁଛନ୍ତି ଯୁବବର୍ଗ
ଇଟିଭି ଭାରତ, ଅନୁଗୋଳ