ଅନୁଗୋଳ: 41 ବର୍ଷ ହେଲା ସରକାରୀ ନାଲି ଫିତା ତଳେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ । ୧୯୮୦ମସିହାରୁ ଅନୁଗୋଳ ଜିଲର ଅନୁଗୋଳ ବ୍ଲକର ହିଡିସିଙ୍ଗି ଜଳ ସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି ହେଉଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହେଉନାହିଁ । ଏଥିପାଇଁ ବାରମ୍ବାର ପ୍ରଶାସନିକ ସ୍ତରରେ ବୈଠକ ବସୁଥିଲେ ମଧ୍ୟ ବାହାରି ପାରୁନି ସମାଧାନ ର ବାଟ । ଏକ ଚିରସ୍ରୋତା ନାଳକୁ ବନ୍ଧ ବାନ୍ଧି ଚାଷୀ ଙ୍କ ହିତ ଦୃଷ୍ଟିରୁ ହିଡିସିଙ୍ଗି ଜଳ ସେଚନ ପ୍ରକଳ୍ପ ପାଇଁ ଦାବି ହେଉଛି ।
ଏହି ଜଳ ସେଚନ ପ୍ରକଳ୍ପ ହେଲେ ୫୨ଟି ଗାଁର ୫୦ହଜାରରୁ ଅଧିକ ଚାଷୀଙ୍କ ପ୍ରାୟ ୯ହଜାର ହେକ୍ଟର ଜମିରେ ଜଳ ସେଚନ ହୋଇ ପାରିବ। ଫଳରେ ବର୍ଷରେ ଦୁଇ ଥର ଫସଲ ଉତ୍ପନ କରି ପାରିବେ ଚାଷୀ।୨୦୦୩ରେ ୫୨ଖଣ୍ଡ ଗାଁର ହଜାର ହଜାର ଲୋକ କରିଥିବା ବିକ୍ଷୋଭଓ ଆନ୍ଦୋଳା ପରେ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ସବୁ ବିଭାଗର ସର୍ଭେ ସାରିଥିବା ବେଳେ ଫରେଷ୍ଟ କ୍ଲିଅରାନ୍ସ ଆଜି ପର୍ଯ୍ୟନ୍ତ ସମସ୍ୟା ହୋଇ ଠିଆ ହୋଇଛି।
ହିଡିସିଙ୍ଗି ଜଳ ସେଚନ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଇତି ମଧ୍ୟରେ ଅନେକ ଥର କେବଳ ବୈଠକ ବସିଛି ଆଲୋଚନା ହେଉଛି। କିନ୍ତୁ କୌଣସି ସୁଫଳ ମିଳି ପାରୁ ନାହିଁ। ଫଳରେ ହଜାର ହଜାର ଚାଷୀ ପ୍ରତି ବର୍ଷ ମରୁଡି ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହି ଜଳ ସେଚନ ପ୍ରକଳ୍ପ ହେଲେ ସେମାନଙ୍କ ଦୁଃଖ ଦୂର ହେବା ସହ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇ ପାରିବ। ନିକଟରେ ଅନୁଗୋଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀ କାନ୍ତ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳଙ୍କ ସମେତ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀ ମାନେ ଉପସ୍ଥିତ ଥିଲେ। କିଭଳି ତୁରନ୍ତ ହିଡିସିଙ୍ଗି ଜଳ ସେଚନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଉପବାଚସ୍ପତି ନିର୍ଦେଶ ଦେଇଥିଲେ। ଏ ଅଞ୍ଚଳର ହଜାର ହଜାର ଚାଷୀ ଚାତକ ପରି ଚାହିଁ ବସିଛନ୍ତି କେବେ ହେବ ହିଡିସିଙ୍ଗି ଜଳ ସେଚନ ପ୍ରକଳ୍ପ। ଆଉ ସେମାନକ କ୍ଷେତ କୁ ପାଣି ମାଡିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ