ଅନୁଗୋଳ: ଆସୁଛି ନୂଆବର୍ଷ । ୨୦୧୯ର ସରିବାକୁ ଆଉ ଦିନ କେଇଟା ବାକି ରହିଲା । ତା ସାଙ୍ଗକୁ ପୁଣି ବଡଦିନ । ବଡଦିନରେ ବଣଭୋଜିର ମଜା । ଅନୁଗୋଳରେ ବଣଭୋଜି ପାଇଁ ଜଣାଶୁଣା ଡେରଜାଙ୍ଗ ଜଳସେଚନ ପକଳ୍ପରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଭୋଜି କରିବା ସହ ଡ୍ୟାମର ପ୍ରକୃତିକ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ସମସ୍ତେ ।
ଜଳ ଭଣ୍ଡାରର ନୀଳ ଘନ ଜଳ ରାଶି ସହ ଭଳିକି ଭଳି ପକ୍ଷୀଙ୍କ ସନ୍ତରଣ ଦେଖିବାର ମଜା ନେଉଛନ୍ତି ସମସ୍ତେ । ଅନୁଗୋଳ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ ଥିବା ଏହି ଡ୍ୟାମରେ ସହର ତଥା ଆଖାଆଖ ଅଞ୍ଚଳର ଅନେକ ଲୋକଙ୍କ ଭିଡ ଜମୁଛି । ଜଳ ସେଚନ ପ୍ରକଳ୍ପର ତଳ ମୁଣ୍ଡରେ ବଣଭୋଜି ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ବଡଦିନ ଛୁଟି ଥିବାରୁ ଏଠାରେ ଭୋଜି କରିବାର ମଜାକୁ କେହି ହାତ ଛଡା କରନ୍ତି ନାହିଁ । କିଏ ପରିବାର ସହ ତ ଆଉ କିଏ ସଙ୍ଗସାଥୀଙ୍କ ସହ ଏଠାକୁ ଆସି ଭୋଜିଭାତର ମଜା ନେଉଛନ୍ତି । ଖାଲି ଭୋଜି କରିବାକୁ ନୁହେଁ ଅନେକ ମଧ୍ୟ ପରିବାର ସହ ଏଠାକୁ ବୁଲିବାକୁ ଆସୁଛନ୍ତି । ଅନ୍ୟପଟେ ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠାରେ ବଣ ଭୋଜି ସ୍ଥାନର ଉନ୍ନତି କରଣ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ