ଅନୁଗୋଳ: ଅନୁଗୋଳ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ଜେଲ ଦଣ୍ଡାଦେଶ । ଅନୁଗୋଳ ଥାନା ପଞ୍ଚମହଲା ନିକଟରେ ୨୦୧୭ ମସିହାରେ ଘଟିଥିବା ଛାତ୍ରୀ ଗଣଦୁଷ୍କର୍ମ ମାମଲାର ସମ୍ପୃକ୍ତ ଜଣେ ନାବାଳକଙ୍କୁ ରବିବାର ଅନୁଗୋଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ବାଳ ଅପରାଧ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
ଏଥିରେ ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୮ଟି ଦସ୍ତାବିଜ ଅନୁଧ୍ୟାନ କରି କୋର୍ଟ ଏପରି ରାୟ ଶୁଣାଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି ।
ସୂଚନାମୂତାବକ, 2017ରେ ସମ୍ପୃକ୍ତା ଛାତ୍ରୀ ମାଉସୀ ପୁଅ ଭାଇ ସହ ଯାଉଥିବାବେଳେ ୬ ଅଭିଯୁକ୍ତ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଟଙ୍କା ମାଗିଥିଲେ । ପରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ୨୦ ହଜାର ଟଙ୍କା ନ ଦେଲେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଦେବାକୁ ଧମକ ଦେଇ ଉଭୟଙ୍କୁ ଛାଡ଼ି ଦେଇଥିଲେ ।
ତେବେ ଏହି ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକଙ୍କୁ ବାଦ ଦେଇ ଅନ୍ୟ ୪ ଅଭିଯୁକ୍ତଙ୍କୁ ୨୦୧୮ରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଶୁଣାଣି ଥିଲେ । ଏଥିସହ ଏହି ଘଟଣାରେ ମୋଟ୍ ୬ ଜଣଙ୍କ ସମ୍ପୃକ୍ତି ଥିବାବେଳେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଅଦାଲତ ।
ତେବେ ନିର୍ଭୟା ଘଟଣା ପରେ ପ୍ରତ୍ୟେକ କୋର୍ଟରେ ସିଆଇସିଏଲ୍ (ଚାଇଲ୍ଡ ଇନ୍ କନ୍ଫ୍ଲିକ୍ଟ ଉଇଥ ଲ) କୋର୍ଟ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳ କୋର୍ଟରେ ଗଠନ ହେବା ପରେ ଏହି କୋର୍ଟ ଅଭିଯୁକ୍ତ ନାବାଳକଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ।
ତେବେ ଓଡ଼ିଶାରେ କୌଣସି ନାବାଳକଙ୍କୁ ଚିଲଡ୍ରେନ୍ କୋର୍ଟଙ୍କ ଏପରି ଦଣ୍ଡାଦେଶ ପ୍ରଥମ ବୋଲି ପିପି କହିଥିବାବେଳେ ଅଦାଲତଙ୍କ ଏହି ରାୟକୁ ସମସ୍ତେ ସ୍ୱାଗତ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ