ଅନୁଗୋଳ: ଘର ଛାତ ପଡିବା ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ଯୁବକ ଗୁରୁତର। ଗୁରୁତର ଯୁବକ ସଦର ଥାନା ଇଙ୍କର ବନ୍ଧ ଗାଁର ଯୁଗଳ ଘଡେଇ ବୋଲି ଜଣାପଡିଛି। ଗୁରୁତର ଯୁବକଙ୍କୁ ଏବେ କଟକ ସ୍ଥାନାନ୍ତରିତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ସହର ପାଖ ପ୍ରଗତି ନଗରର ବିଭୁତି ଦାସଙ୍କ ଘର ଛାତ ପକାଇବା ପାଇଁ ରଡ ବାଇଡ଼ିଂ କାମ ଚାଲିଥିଲା। ଯେଉଁ କାମରେ ଯୁଗଳ ନିୟୋଜିତ ଥିଲେ। ଉପରେ ବିଦ୍ୟୁତ ତାର ଯାଇଥିବା ବେଳେ କୌଣସି କାରଣରୁ ଯୁଗଳ ବିଜୁଳି ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ତାଙ୍କ ଶରୀରର 70 ପ୍ରତିଶତ ପୋଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତର ଖାନା ଓ ପରେ ସେଠାରୁ କଟକ ପଠାଯାଇଛି।
ତେବେ ଏତେବେଡ଼ ଅଘଟଣ ଘଟିଥିବା ବେଳେ ଘର ମାଲିକ କିମ୍ବା ତାଙ୍କୁ କାମରେ ନିୟୋଜିତ କରିଥିବା କୌଣସି ଲୋକ ଯୁଗଳକୁ ସହାୟତା ପାଇଁ ଆସି ନଥିବାରୁ ତାକୁ ନେଇ ଉତେଜନା ଦେଖା ଦେଇଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ