ଅନୁଗୋଳ: କୋରୋନା ସଂକ୍ରମଣରେ ମୃତ ମହିଳାଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ । ଫଳରେ ଦୀର୍ଘ ୧୦ଘଣ୍ଟା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଏକ ଗାଡ଼ିରେ ନେଇ ଦାହ କଲେ । ଏଭଳି ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ ।
ଜିଲ୍ଲାର ଆଠମଲ୍ଲିକ ଏନଏସିର ୩ନଂ ୱାର୍ଡରେ ରହୁଥିବା ଉଜ୍ବଲା ନାମକ ଜଣେ ମହିଳା ଗୁରୁତର ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ଏପ୍ରିଲ ୨୨ତାରିଖରେ ତାଙ୍କର କୋରୋନା ପଜିଟିଭ ଜଣାପଡିବା ପରେ ସେ ନିଜ ଘରକୁ ଆସି ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପରିବାର, ସମ୍ପର୍କୀୟ ଓ ସାହି ବାସିନ୍ଦା କେହି ହେଲେ ଶବକୁ ଛୁଇଁ ନଥିଲେ କି ଦାହ କରିବାକୁ ନେଇ ନଥିଲେ ।
ଆଜି ସକାଳ ପ୍ରାୟ ୧୦ଟା ବେଳକୁ ସ୍ୱାସ୍ଥ୍ୟ ବିଭାଗ ଏହି ଖବର ପାଇ ଏକ ଗାଡି ଯୋଗେ ମୃତଦେହକୁ ନେଇ ଦାହ କରିଥିଲେ । ଗତ ଦୁଇ ଦିନ ତଳେ ଛେଣ୍ଡିପଦା ଅଞ୍ଚଳରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଣେ କୋରୋନା ରୋଗୀର ମୃତଦେହ କେହି ନା ଉଠାଇବାରୁ ବିଡ଼ିଓ, ସରପଞ୍ଚ ମିଶି ନିଜେ କାନ୍ଧରେ ନେଇ ଶବଦାହ କରିଥିଲେ। ତେଣୁ ଏହି ଘଟଣାରୁ ସ୍ପଷ୍ଟ ଜଣା ପଡୁଛି ଯେ କେଉଁଠି ନା କେଉଁଠି ମାନବିକତା ହଜି ଯାଇଛି । ଲୋକେ କୋରୋନା ଯୋଗୁଁ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଛୁଇଁବାକୁ ଚାହୁଁ ନାହାଁନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ