ଅନୁଗୋଳ: ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଥିବା 5ଟି ସଚିବ ଆଜି ଅନୁଗୋଳ ବିଜୁ ମୈଦାନରେରେ କଲେଜ ଛାତ୍ରଛାତ୍ରୀଙ୍କ ସହ ନିଜର ଅନୁଭୂତି ବଖାଣିବା ସହ ସେମାନକୁ ଶ୍ରେଷ୍ଠ ହେବାକୁ ପରାମର୍ଶ ଦେଇଛନ୍ତି । ତାଳଚେର ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ୩ଟି ପର୍ଯ୍ୟାୟରେ ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହାସହ ଏକ ଜନସଭାରେ ଲୋକଙ୍କ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଛି ।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ତାଳଚେର ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚିଥିଲେ । ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାମାନଙ୍କ ସହ ମନ୍ଦିରର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଯାହା ଆବଶ୍ୟକ କରାଯିବ ବୋଲି କହିଥିଲେ। ଗଞ୍ଜାମରେ ଯେମିତି ତାରାତାରିଣୀ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସୁନ୍ଦର କରିଛନ୍ତି ତାଠାରୁ ଆହୁରି ଅଧିକ ସୁନ୍ଦର ହିଙ୍ଗୁଳା ମନ୍ଦିର କରାଯିବ ବୋଲି କହିଥିଲେ । ଏହାପରେ ତାଳଚେର କଲେଜ ପଡ଼ିଆରେ ଛାତ୍ରଛାତ୍ରୀ ଓ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ସହ ମିଶିଥିଲେ। ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଆସନ୍ତା ୭ଦିନ ମଧ୍ୟରେ ସମସ୍ତଙ୍କର ଅଭିଯୋଗ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ।
ଏହାପରେ ଛେଣ୍ଡିପଦାରେ ଏକ ସାଧାରଣ ସଭା କରିଥିଲେ। ସଭାରେ ହଜାର ହଜାର ସଂଖ୍ୟାରେ ମହିଳା ଗୋଷ୍ଠୀ ସଦସ୍ୟା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ସେନେଇ ମହିଳାମାନଙ୍କୁ କହିବା ସହ ସେମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ତେବେ ଦୀର୍ଘ ଦିନ ହେଲା ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇ ଆସୁଥିଲା। ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ଭିକେ ପାଣ୍ଡିଆନ ସେଠାରେ ଏହି ଦାବି ଶୁଣିବା ମାତ୍ରେ ଭିଡିଓ କଲିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।
ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ ଅନୁଗୋଳ ଗସ୍ତକୁ ବିରୋଧ, କଳା ଦିବସ ପାଳିଲା ବିଜେପି
ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ କହିଥିଲେ ଖୁବ କମ ଦିନରେ ସେହି ସ୍ବାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ। ଏହାପରେ ଲୋକେ ଖୁସି ହୋଇ ଯାଇଥିଲେ। ଲୋକେ କେବେ ବିଶ୍ବାସ କରି ନଥିଲେ ଯେ ମୁଖ୍ୟମନ୍ତ୍ରୀ ଭିଡିଓ କଲିଙ୍ଗରେ ଲୋକଙ୍କ ସହ କଥା ହେବେ ବୋଲି । ୫ଟି ସଚିବ ଏହା କରିଥିବାରୁ ଲୋକେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଅପରାହ୍ନରେ ଅନୁଗୋଳରେ ପ୍ରଥମେ କଲେଜ ଛାତ୍ରଛାତ୍ରୀଙ୍କ ସହ ବର୍ତ୍ତାଳାପ କରିଥିଲେ । ସ୍କୁଲଗୁଡିକୁ ଯେପରି ୫ଟିରେ ଅନ୍ତର୍ଭୁକ୍ତ କରାଯାଇଛି କଲେଜଗୁଡିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି ସରକାର । ଏହାଦ୍ବାରା ପାଠ ପଢିବା ଆହୁରି ସହଜ ହୋଇପାରିବ।
ଛାତ୍ରଛାତ୍ରୀଙ୍କୁ ସେ ବହୁ ମୂଲ୍ୟବାନ ଉପଦେଶ ଦେଇଥିଲେ। ବିଭିନ୍ନ ଉଦାହରଣ ଦେଇ ଜୀବନରେ ଆଗକୁ ବଢ଼ିବା ଓ ସଫଳତା ପାଇବା ପାଇଁ ପରାମର୍ଶ ଦେଇଥିଲେ। ମହିଳା ଗୋଷ୍ଠୀର ପ୍ରତ୍ୟେକ ମହିଳାଙ୍କୁ ଏବେ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା କରାଯାଇଥବା ସେ କହିଥିଲେ । ଏହାଛଡ଼ା ବ୍ୟାଙ୍କ ସାଥୀ ଅନ୍ୟମାନଙ୍କୁ ଲାପଟପ, ସ୍ମାର୍ଟଫୋନ ଓ ଅନ୍ୟ ଆବଶ୍ୟକତା ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି । ବର୍ତ୍ତମାନ ସୁଧା ରାଜ୍ୟରେ ମହିଳା ମାନଙ୍କୁ ୧୧ହଜାର କୋଟି ଟଙ୍କା ଋଣ ଦିଆ ସରିଛି । ଏବେ ମିଶନ ଶକ୍ତି ବ୍ଲକ ଫେଡରେସନରେ ଗୋଟିଏ ଲେଖାଏଁ ଗାଡିର ବ୍ୟବସ୍ଥା କରାଯିବ। ମହିଳାମାନଙ୍କୁ ସ୍କୁଟି ଦିଆଯିବ । ମହିଳାମାନେ ଆହୁରି ଅଧିକ କାମ କରି ରୋଜଗାର କରିପାରିଲେ ସେମାନଙ୍କ ଉନ୍ନତି ହେବା ସହ ରାଜ୍ୟ ଆଗକୁ ବଢିବ ବୋଲି ଭିକେ.ପାଣ୍ଡିଆନ କହିଥିଲେ।
ଇଟିଭି ଭାରତ, ଅନୁଗୋଳ