ଅନୁଗୋଳ: ରାତି ଅଧରେ ଘରେ ପଶି କଳାକାନ ବୁଲାଇଲେ ଦୁର୍ବୃତ୍ତ । 50 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ସହ ନଗଦ 10 ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ତେବେ ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଗିରାଙ୍ଗ ଗାଁରେ ।
ଗିରାଙ୍ଗ ଗାଁର କେନାଲ ପାଖରେ ଥିବା ଚନ୍ଦ୍ରମଣି ସାହୁ ଘରୁ ଏହି ଲୁଟ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଚନ୍ଦ୍ର ମଣିଙ୍କ ଘରେ ଝରକା ତାଡି ଚାରି ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ପରିବାରର ସମସ୍ତେ ଗୋଟିଏ ଘରେ ଶୋଇଥିବା ବେଳେ ସେମାନଙ୍କୁ ବାହାର ପଟୁ କବାଟ ଦେଇ ସବୁ କିଛି ଲୁଟି ନେଇଥିଲେ ଏହି ଲୁଟେରା ମାନେ।
ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରା ମାନେ ଯେ କେବଳ ଚୋରି କରିଥିବା ଲୋକଙ୍କ ଘରୁ ବାହାରୁ ବନ୍ଦ କରିଥିଲେ ତାହା ନୁହଁ ବରଂ ଦୁଇ ପଡ଼ୋଶୀଙ୍କ ଘର କବାଟ ମଧ୍ୟ ବାହାରୁ ବନ୍ଦ କରିଦେଇଥିଲେ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ