ଆବୁଧାବି: ଚଳିତ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଆଉ ଏକ ବୃହତ ବିଜୟ । ମଙ୍ଗଳବାର ଖେଳାଯାଇଥିବା ସୁପର ୧୨ ମୁକାବିଲାରେ ବାଂଲାଦେଶକୁ ୬ ୱିକେଟରେ ହରାଇଛି ଦକ୍ଷିଣ ଆଫ୍ରିକା । ବାଂଲାଦେଶକୁ ୮୪ ରନ୍ରେ ଅଲଆଉଟ୍ କରିବା ପରେ ବିଜୟ ଲକ୍ଷ୍ୟକୁ ୧୩.୩ ଓଭରରେ ହାସଲ କରିନେଇଛି ତେମ୍ବା ବାଭୁମାଙ୍କ ଟିମ ।
ଏହି ବିଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର କ୍ରମାଗତ ତୃତୀୟ ବିଜୟ। ଫଳରେ ସେମିଫାଇନାଲରେ ସ୍ଥାନ ପାଇଁ ପ୍ରମୁଖ ଦାବିଦାର ରହିଛି ଟିମ ।
ଟସ୍ ଜିତି କ୍ୟାପଟେନ ବାଭୁମାଙ୍କ ପ୍ରଥମେ ବୋଲିଂ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ ବୋଲର । ଦୁଇ ଷ୍ଟାର ବୋଲର ଅନରିଚ ନର୍କିଆ ଓ କାଗିସୋ ରବାଡା ୩ଟି ଲେଖାଏଁ ୱିକେଟ ହାସଲ କରି ବାଂଲା ବ୍ୟାଟିଂକ୍ରମକୁ ଧ୍ବସ୍ତ କରିଥିଲେ । ଅବଶିଷ୍ଟ କାର୍ଯ୍ୟ ସ୍ପିନର ସାମସି ଓ ପ୍ରିଟୋରିସ ଯଥାକ୍ରମେ ଦୁଇଟି ଓ ଗୋଟିଏ ଲେଖାଏଁ ୱିକେଟ ନେଇ ଶେଷ କରିଥିଲେ । ଫଳରେ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଅସମର୍ଥ ହୋଇଥିଲା ମହମୁଦୁଲ୍ଲାଙ୍କ ଟିମ । ୧୮.୨ ଓଭରରେ ମାତ୍ର ୮୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଷ୍ଟାର ଅଲରାଉଣ୍ଡର ସାକିବ ଅଲହାସନଙ୍କ ଅନୁପସ୍ଥିତି ଓ ଷ୍ଟାର ବୋଲର ମୁସ୍ତାଫିଜୁରଙ୍କୁ ବିଶ୍ରାମ ପରାଜୟର ଅନ୍ୟତମ କାରଣ ହୋଇଥିଲା ।
ପରେ ୧୩.୩ ଓଭରରେ ୪ ୱିକେଟ ହରାଇ ଆବଶ୍ୟକୀୟ ରନ୍ ହାସଲ କରିନେଇଥିଲା ଦକ୍ଷିଣ ଆଫ୍ରିକା । ଓପନର କ୍ବିଣ୍ଟନ ଡିକକ୍ ୧୬ ଓ କ୍ୟାପଟେନ ତେମ୍ବା ବାଭୁମା ୩୧ ରନ୍ର ଇଂନିସ ଖେଳିଥିଲେ । ବାଂଲାଦେଶ ପକ୍ଷରୁ ଟସକିନ ଅହମ୍ମଦ ୨ଟି ଓ ମେହେଦି ହସନ, ନାସୁମ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ