ଆମଷ୍ଟେଲଭିନ: ମହିଳା ହକି ବିଶ୍ବକପ ପୁଲ ବି'ର ଶେଷ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ନ୍ୟୁଜିଲାଣ୍ଡଠୁ 4-3 ଗୋଲରେ ପରାସ୍ତ ହୋଇ ସିଧାସଳଖ କ୍ବାର୍ଟର ଫାଇନାଲରୁ ଉନ୍ନୀତ ହେବାର ସୁଯୋଗ ହାତଛଡା କରିଛି ଭାରତୀୟ ଦଳ । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି କ୍ରସ ଓଭରକୁ ଉନ୍ନୀତ ହୋଇଛି ଦଳ । ନ୍ୟୁଜିଲାଣ୍ଡ ଭାରତକୁ ହରାଇ ସର୍ବାଧିକ 7 ପଏଣ୍ଟ ସହ ଟେବୁଲ ଟପରେ ରହିଛି ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଆରମ୍ଭରୁ ଭାରତ ମାତ୍ର 4 ମିନିଟରେ ଚମତ୍କାର ଫିଲ୍ଡ ଗୋଲ କରି ଖାତା ଖୋଲିଥିଲା । ବନ୍ଦନା କାଟାରିଆ ଏହି ଗୋଲ କରିଥିଲେ । 12 ମିନିଟରେ ନ୍ୟୁଜିଲାଣ୍ଡ ଏକ ଗୋଲ କରିଥିଲା । ଦଳର ଓଲିଭିଆ ମେରି ପେନାଲ୍ଟି କର୍ଣ୍ଣରକୁ ଗୋଲ ରୂପ ଦେଇଥିଲେ । 29 ମିନିଟ ପରେ ନ୍ୟୁଜିଲାଣ୍ଡ ଆଉ ଏକ ଗୋଲ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ 2-1ରେ ଆଗୁଆ ଥିଲା ।
ତୃତୀୟ କ୍ବାର୍ଟରରେ ଆଉ ଏକ ଗୋଲ ଦେଇ ଦୃଢ ସ୍ଥିତିରେ ରହିଥିଲା ନ୍ୟୁଜିଲାଣ୍ଡ । 44 ମିନିଟରେ ଭାରତ ଦ୍ବିତୀୟ ଗୋଲ ଦେଇ କମବ୍ୟାକ କରିଥିଲା । ଲାଲରେମିସିଆମ ଏହି ଗୋଲ ଦେଇଥିଲେ । 54 ମିନିଟରେ ନ୍ୟୁଜିଲାଣ୍ଡ 4ର୍ଥ ଗୋଲି ଦେଇ ମ୍ୟାଚକୁ ନିୟନ୍ତ୍ରଣକୁ ନେଇଥିଲା । ଭାରତୀୟ ଖେଳାଳି ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲେ ମାତ୍ର ସଫଳ ହୋଇନଥିଲେ । ମ୍ୟାଚ ଜିତିବାକୁ ଦଳ ପାଖରେ ଆଉ ସମୟ ନଥିଲା ତେଣୁ 4-3ରେ ପରାସ୍ତ ହୋଇଥିଲା ଭାରତ । କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ପାଖରେ କ୍ରସ ଓଭର ହିଁ ଶେଷ ସୁଯୋଗ । ଯଦି ଏଥିରେ ବିଜୟୀ ହୁଏ ତେବେ କ୍ବାର୍ଟର ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।