ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ପ୍ରାପ୍ତ କରିଥିବା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ ଆସିଛି । ଫୋଗାଟ ଗତ ସପ୍ତାହରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ମଙ୍ଗଳବାର ଭିନେଶ ଟ୍ବିଟ ଯୋଗେ କୋରୋନାରୁ ସୁସ୍ଥ ହୋଇଥିବେ ନେଇ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ସେ ସତର୍କତା ଦୃଷ୍ଟିରୁ ଆଇସୋଲେସନରେ ରହିବେ ।
ଭିନେଶ ଟ୍ବିଟ କରି ଲେଖିଛନ୍ତି, ‘‘ମୁଁ ଗତକାଲି ଦ୍ବିତୀୟ କୋଭିଡ-19 ପରୀକ୍ଷା କରାଇଥିଲି ଏବଂ ମୁଁ ଏହା ଘୋଷଣା କରି ଖୁସି ଯେ ମୋ ରିପୋର୍ଟ ନେଗେଟିଭ ଆସିଛି । ଏହା ମୋ ପାଇଁ ଏକ ବଡ଼ ଖବର, ତେବେ ମୁଁ ସତର୍କତାମୂଳକ ପଦକ୍ଷେପ ଭାବରେ ଆଇସୋଲେସନରେ ରହିବି। ଆପଣଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।’’
ଅଗଷ୍ଟ 28 ରେ, ଫୋଗଟ ଘୋଷଣା କରିଥିଲେ ଯେ ସେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା କାରଣରୁ ତାଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର 2020ର ଭର୍ଚୁଆଲ ଇଭେଣ୍ଟରୁ ବଞ୍ଚିତ ହେବାକୁ ପଡିଥିଲା । ଫୋଗାଟ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଲାଭ କରିଛନ୍ତି ।
ଜାତୀୟ କ୍ରୀଡ଼ା ଦିବସରେ ଭିନେଶ ଟ୍ବିଟ କରି ଲେଖିଥିଲେ, ‘‘ଆଜି ଜାତୀୟ କ୍ରୀଡା ଦିବସରେ ପୁରସ୍କାର ବିତରଣ ଉତ୍ସବରୁ ବଞ୍ଚିତ ହୋଇଥିବାରୁ ମୁଁ ଖୁବ ଦୁଃଖିତ। ପୁରସ୍କାର ପ୍ରାପ୍ତ କରିଥିବା ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ସମ୍ମାନଜନକ ମାନ୍ୟତା ପାଇବାକୁ ମତେ ଯୋଗ୍ୟ ଭାବିଥିବାରୁ ଭାରତ ସରକାର ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟକୁ ଅଶେଷ ଧନ୍ୟବାଦ ଜଣାଉଛି! ଜୟ ହିନ୍ଦ ।’’
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ଶନିବାର ଦିନ ଜାତୀୟ କ୍ରୀଡ଼ା ଏବଂ ଦୁଃସାହସିକ ପୁରସ୍କାର 2020 ପ୍ରଦାନ କରିଛନ୍ତି।
କୋବିନ୍ଦ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚନ୍ଦ ପୁରସ୍କାର, ଟେନଜିଙ୍ଗ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ। ହକି ୱିଜାର୍ଡ ମେଜର ଧ୍ୟାନଚନ୍ଦଙ୍କ 115 ତମ ଜନ୍ମ ବାର୍ଷିକୀରେ ଦେଶର 74 ଜଣ ଆଥଲେଟ୍ ସମ୍ମାନିତ ହୋଇଥିଲେ।