ନୂଆଦିଲ୍ଲୀ: ଅଲମ୍ପିକ୍ସ ପ୍ରସ୍ତୁତି କରୁଥିବା ଭାରତୀୟ ବକ୍ସର ବିକାଶ କ୍ରୀଷନ ଯାଦବଙ୍କ ବଡ ବୟାନ । ସୋମବାର ବିକାଶ, ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରୀଡା ଟୁର୍ଣ୍ଣାମେଣ୍ଟ ଆରମ୍ଭ ପାଇଁ ମତ ଦେଇଛନ୍ତି । ତେବେ ବକ୍ସିଂ ଟୁର୍ଣ୍ଣାମେଣ୍ଟରୁ ଏହା ଆରମ୍ଭ କରିବାକୁ ସେ ପ୍ରସ୍ତାବ ନେଇଛନ୍ତି ।
ଟୋକିଓ ଅଲମ୍ପିକ୍ସ ପାଇଁ କର୍ଣ୍ଣାଟକର ବେଲାରୀରେ ଅଭ୍ୟାସ ଜାରି ରଖିଛନ୍ତି ବିକାଶ କ୍ରୀଷନ । ଗତବର୍ଷ ଏସିଆନ ଗେମ୍ସରେ ସେ ପାକିସ୍ତାନ ବକ୍ସରଙ୍କୁ ମୁକାବିଲା କରିଥିଲେ । ଫଳରେ ପୁଣିଥରେ ପାକିସ୍ତାନ ବକ୍ସରଙ୍କୁ ସାମ୍ନାରେ ଚାହାନ୍ତି ।
"ସ୍ପୋର୍ଟ୍ସ ଦେଶମାନଙ୍କ ମଧ୍ୟରେ ବନ୍ଧୁତାର ସୁଯୋଗ ଆଣେ । ଲୋକଙ୍କ ହିତ ପାଇଁ ଭାରତ ଓ ପାକିସ୍ତାନ ଏକାଠି ହେବା ଆବଶ୍ୟକ । ପାକିସ୍ତାନକୁ ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ କରିବା ସହ, ଉତ୍ତମ ପଡୋଶୀ ଭାବେ ବ୍ୟବହାର କରିବା ଉଚିତ । ଯାହାଫଳରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରୀଡା ଟୁର୍ଣ୍ଣାମେଣ୍ଟ ସମ୍ଭବ ହୋଇପାରିବ ।" ଏହା କହିଛନ୍ତି ବକ୍ସର ବିକାଶ କ୍ରୀଷନ ।
ମାନବିକତା ସର୍ବୋପରି । ସୈନିକ ପ୍ରାଣ ହରାନ୍ତି, ସେମାନଙ୍କ ପରିବାର ପ୍ରଭାବିତ ହୁଅନ୍ତି । ସେଥିପାଇଁ ସମୟର ଆବଶ୍ୟକତାକୁ ଗ୍ରହଣ କରି, ଯୁଦ୍ଧ ପରିବର୍ତ୍ତେ ଉଭୟ ଉଭୟଙ୍କୁ ସାହାସ୍ୟର ହାତ ବଢାଇବା ଉତିତ ବୋଲି ବିକାଶ କହିଛନ୍ତି ।
ପାକିସ୍ତାନ ଜନ୍ମିତ ବ୍ରିଟିଶ ବକ୍ସର ଅମିର ଖାନ ସମାନ ପ୍ରକାର ମତ ରଖିବା ପରେ, ବିକାଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଭାରତ ଓ ପାକିସ୍ତାନ ମିଳିତ ଭାବେ ଗରିବି ଓ ଦ୍ରାରିଦ୍ରତାକୁ ବିରୁଦ୍ଧରେ ଏକମାତ୍ର ଶତ୍ରୁ ଭାବି ଲଢିବା ଉଚିତ ବୋଲି ଅମିର କହିଥିଲେ ।
2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୋଲ୍ଡ ମେଡାଲ ବିଜେତା ରହିଛନ୍ତି ବକ୍ସର ବିକାଶ କ୍ରୀଷନ । ଏଥିସହିତ ଗତ ମାର୍ଚ୍ଚରେ, ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 9ଜଣ ଭାରତୀୟ ବକ୍ସରଙ୍କ ମଧ୍ୟରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ