ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା କୋରୋନା ସଂକ୍ରମଣର ପ୍ରଭାବ କ୍ରୀଡା କ୍ଷେତ୍ରରେ ପଡିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡା ଏବଂ ଯୁବ ସେବା ବିଭାଗ ଏପ୍ରିଲ 19ରୁ ରାଜ୍ୟରେ ଥିବା ସମସ୍ତ ସ୍ପୋର୍ଟସ ହଷ୍ଟେଲ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଏନେଇ ବିଭାଗ ପକ୍ଷରୁ ସମସ୍ତ ସ୍ପୋର୍ଟସ ହଷ୍ଟେଲ ଗୁଡିକୁ ସୂଚନା ଦିଆଯାଇଛି ।
ଏହାସହ ସ୍ପୋର୍ଟସ ହଷ୍ଟେଲରେ ରହୁଥିବା କ୍ରୀଡ଼ାବିତଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଶିଶୁ କ୍ରୀଡ଼ାବିତଙ୍କୁ ନିରାପଦରେ ତାଙ୍କ ଘରେ ପହଞ୍ଚାଇବା ଲାଗି ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ । ଅନ୍ୟ କ୍ରୀଡ଼ାବିତ ଘରକୁ ଫେରିବା ନେଇ ସମସ୍ୟା ଥିଲେ, ସେମାନଙ୍କର ନିରାପଦ ଘରକୁ ଫେରିବାରେ ମଧ୍ୟ ସୁବିଧା କରାଯିବ ।
ବନ୍ଦ ଅବଧି ମଧ୍ୟରେ ସ୍ପୋର୍ଟସ୍ ହଷ୍ଟେଲ୍ ଇନଚାର୍ଜ ନିଜ ନିଜ ହଷ୍ଟେଲରେ ଉପସ୍ଥିତ ରହିବା ଲାଗି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କ୍ରୀଡା ନିର୍ଦ୍ଦିଷ୍ଟ କର୍ମଶାଳା ଏବଂ କୋଚ୍ ବିକାଶ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଲାଗି ଏହି ସମୟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । କ୍ରୀଡା ଓ କ୍ରୀଡ଼ାବିତଙ୍କ ସ୍ୱାସ୍ଥ୍ୟକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । କ୍ରୀଡ଼ାବିତଙ୍କ ସୁରକ୍ଷା ଲାଗି ବିଭାଗ ସବୁବେଳେ ପଦକ୍ଷେପ ନେଇ ଆସିଛି । ଅଗାମୀ ଦିନରେ ମଧ୍ୟ ଏହା ଜାରି ରହିବ । ସ୍ପୋର୍ଟସ୍ ହଷ୍ଟେଲ ଇନଚାର୍ଜ କ୍ରୀଡ଼ାବିତଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିବେ । ଭର୍ଚୁଆଲ୍ ମୋଡ଼ରେ ସେମାନଙ୍କ ସହିତ ଆଲୋଚନା କରିବେ ।
ଘରେ ରହି ଆବଶ୍ୟକ ମୁତାବକ ଟ୍ରେନିଂ କିପରି ନେଇ ପାରିବେ ସେନେଇ ପରାମର୍ଶ ଦେବେ । ସେମାନଙ୍କର ବିକାଶରେ ସାହାଯ୍ୟ କରିବେ । ହଷ୍ଟେଲ ଠାରୁ ଦୂରରେ ଥାଇ ମଧ୍ୟ କୋଭିଡ୍-19 ଗାଇଡଲାଇନକୁ ପାଳନ କରିବେ । ପରିସ୍ଥିତିରେ ସୁଧାର ଆସିବା ପରେ ପୁନର୍ବାର ହଷ୍ଟେଲ ଫେରିବା ନେଇ ବ୍ୟବସ୍ଥା କରାଯିବ ବୋଲି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ