ରାଉରକେଲା: ହକି ବିଶ୍ବକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଏନେଇ ଗୋଟିଏ ପରେ ଗୋଟିଏ ଦଳ ରାଉରକେଲାରେ ପହଁଞ୍ଚିବାରେ ଲାଗିଛନ୍ତି । ଆଜି(ରବିବାର) ସ୍ପେନ ଓ ୱେଲ୍ସ ହକି ଟିମ କଡା ସୁରକ୍ଷା ବଳୟରେ ରାଉରକେଲାରେ ପହଁଞ୍ଚିଛି । ବିଶ୍ବକପ ନେଇ ସ୍ପେନ୍ ହକି ଟିମର କୋଚ କହିଛନ୍ତି ଯେ ନୂତନ ଷ୍ଟାଡିୟମରେ ବିଶ୍ବକପ ଖେଳିବା ନେଇ ଟିକିଏ ଚ୍ୟାଲେଞ୍ଜିଂ ହେବ । ଭାରତ ସହିତ ଗ୍ରୁପ D'ରେ ରହିଛନ୍ତି ସ୍ପେନ ଏବଂ ୱେଲ୍ସ । ଭାରତ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ସ୍ପେନ୍ । ଏହି ମ୍ୟାଚ ଜାନୁଆରୀ ୧୩ ତାରିଖ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ସେହିପରି ଇଂଲଣ୍ଡ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ୱେଲ୍ସ । ସେପଟେ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଏହି ଦୁଇ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି ।
ଗାଁ ରୁ ନେଇ ସହର ସୁବୁଠି ହକି ଫିଭର । ଏହାରି ମଧ୍ୟରେ ଓଡ଼ିଶାର ଦୁଇଟି ହକି ବିଶ୍ବକପ ଭେନ୍ୟୁ ଭୁବନେଶ୍ବର ଏବଂ ରାଉରକେଲାକୁ ଆସିବାରେ ଲାଗିଛନ୍ତି ଅଂଶଗ୍ରହଣକାରୀ ହକି ଟିମ୍ । ରାଉରକେଲାରେ ପହଞ୍ଚିଲେ ୱେଲ୍ସ ଓ ସ୍ପେନ୍ ହକି ଦଳ । ଗତକାଲି ମାଲେସିଆ ଏବଂ ନ୍ୟୁଜିଲାଣ୍ଡ ଟିମ୍ ରାଉରକେଲାରେ ପହଞ୍ଚିଥିଲା । ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ରାଉରକେଲାରେ ପହଞ୍ଚିଥିଲେ ଏହି ଦୁଇଟି ଟିମ୍ ।
ସ୍ପେନ ହକି ଟିମ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ବକପରେ ଦୁଇଟି ମ୍ୟାଚ ଖେଳିବ । ସ୍ପେନ ପ୍ରଥମ ମ୍ୟାଚ ଜାନୁଆରୀ ୧୩ ତାରିଖରେ ତାରିଖରେ ଆୟୋଜକ ଟିମ୍ ଭାରତ ସହ ଖେଳିବ । ୧୫ ତାରିଖରେ ସ୍ପେନ ଦ୍ବିତୀୟ ମ୍ୟାଚ୍ ୱେଲ୍ସ୍ ସହ ଖେଳିବ । ଏହି ମ୍ୟାଚ୍ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଏନେଇ ଆଜିଠାରୁ ଅଭ୍ୟାସ କରିବାକୁ ଆସି ରାଉରକେଲାରେ ପହଞ୍ଚିଛି ସ୍ପେନ୍ ଦଳ । ହକି ବିଶ୍ବକପ ନେଇ ସ୍ପେନ୍ ଟିମର କୋଚ ମାକ୍ସିମିଲିନ କଲଡାସ କହିଛନ୍ତି "ହକି ବିଶ୍ୱକପ୍ ନେଇ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ନୂଆ ଷ୍ଟାଡିୟମ ଥିବାରୁ ମ୍ୟାଚ୍ ଟିକେ ଆହ୍ୱାନପୂର୍ଣ୍ଣ ରହିବ ।
ଆୟୋଜକ ଦେଶ ଭାରତକୁ କଡ଼ା ଟକ୍କର ଦେବା ନେଇ ସ୍ୱତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବ ଦଳ।" ସ୍ପେନ୍ ହକି ଟିମ୍ କ୍ୟାପଟେନ ମୈଗୁଏଲ ଡେଲାସ କହିଛନ୍ତି,"ଆମେ ଏଥର ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ଏବଂ ଆଶା ରଖୁଛୁ ଆମେ ଏଥର ବିଶ୍ବକପ ନିଜର ଏକ ଭିନ୍ନ ଛାପ ଛାଡ଼ିବୁ । ନୂତନ ଷ୍ଟାଡିୟମର ନୂଆ ପିଚ୍ ସହ କୋଡିଏ ହଜାର ଦର୍ଶକରେ ବିଶ୍ୱକପ ଖେଳିବା ଆମ ପାଇଁ ଟିକିଏ କଠିନ ରହିବ । ତେଣୁ ଆମେ ଏହାକୁ ନେଇ ପ୍ରସ୍ତୁତ ଅଛୁ । ସବୁବେଳେ ଓଡ଼ିଶାରେ ଆମକୁ ଖେଳିବାକୁ ଭଲ ଲାଗେ । ଏଠାରେ ଲୋକେ ଆମକୁ ଉତ୍ସାହିତ କରନ୍ତି ଏବଂ ହକିକୁ ଭଲ ପାଆନ୍ତି ।"
ସେପଟେ ୱେଲ୍ସ୍ ହକି ଟିମ୍ ଗ୍ରୁପ D'ରେ ସ୍ଥାନ ପାଇଛି । ଗ୍ରୁପ D'ରେ ଭାରତ, ୱେଲ୍ସ୍, ସ୍ପେନ୍ ଏବଂ ଇଂଲଣ୍ଡ୍ ହକି ଟିମ୍ ରହିଛନ୍ତି । ୱେଲ୍ସ୍ ଜାନୁଆରୀ ୧୩ ତାରିଖରେ ଇଂଲଣ୍ଡ ବିପକ୍ଷରେ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଦ୍ୱିତୀୟ ମ୍ୟାଚ୍ରେ ସ୍ପେନ୍କୁ ଭେଟିବ ୱେଲ୍ସ୍ । ଏହି ଦୁଇଟି ମ୍ୟାଚ୍ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ୱେଲ୍ସ୍ ହକି ଦଳର ମୁଖ୍ୟ କୋଚ୍ ରାଉରକେଲାରେ ପହଞ୍ଚି କହିଛନ୍ତି ଯେ ସ୍ପେନ୍ ଦଳ ହକି ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଉତ୍ସାହିତ । ବିଶ୍ୱକପ୍ର ମ୍ୟାଚ୍ରେ ଭଲ ପ୍ରଦର୍ଶନ ହିଁ ଆମର ମୂଳ ଲକ୍ଷ୍ୟ । ଏଠାରେ ନୂଆ ଷ୍ଟାଡିୟମ୍ ସହିତ ନୂଆ ଦର୍ଶକଙ୍କ ମଧ୍ୟରେ ହକି ଗଡ଼ରେ ମ୍ୟାଚ ଖେଳିବାକୁ ଦଳ ଖୁବ ଉତ୍ସାହିତ ରହିଛି ।
ଇଟିଭି ଭାରତ, ରାଉରକେଲା