ସୁଞ୍ଚେଓନ(ଦକ୍ଷିଣ କୋରିଆ): ଚଳିତ କୋରିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୨ର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ସ୍ଥାନୀୟ ପାଲମା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଗୁରୁବାର ଜାପାନର ଅୟ ଓହରିଙ୍କୁ ହରାଇଛନ୍ତି ସିନ୍ଧୁ । ଦୁଇ ଥରର ଅଲମ୍ପିକ ପଦକ ବିଜେତା ବିଶ୍ବ ମାନ୍ୟତାର ୨୬ ନମ୍ବର ସ୍ଥାନରେ ଥିବା ଜାପାନର ଅୟ ଓହରିଙ୍କୁ ମହିଳା ସିଙ୍ଗଲ୍ସ ଇଭେଣ୍ଟର ଦ୍ବିତୀୟ ରାଉଣ୍ଡରେ ୨୧-୧୫, ୨୧-୧୦ରେ ପରାସ୍ତ କରିଛନ୍ତି । ୩୭ ମିନିଟ୍ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ ପିଭି ସିନ୍ଧୁ ବିଜୟୀ ହୋଇଥିଲେ । ଏହା ଓହରିଙ୍କ ବିପକ୍ଷରେ ୧୩ଟି ମ୍ୟାଚ୍ରେ ସିନ୍ଧୁଙ୍କ ୧୨-୦ ବିଜୟ । ଫଳରେ କ୍ବାର୍ଟର-ଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ବୁସାନନ ଓଙ୍ଗବାମରଙ୍ଗଫାନଙ୍କୁ ଭେଟିବେ ।
ଗତମାସରେ ସ୍ବିସ ଓପନର ଫାଇନାଲରେ ଓଙ୍ଗବାମରଙ୍ଗଫାନଙ୍କୁ ହରାଇ ଟାଇଟେଲ ଜିତିଥିଲେ ସିନ୍ଧୁ । ସୟଦ ମୋଦି ଇଣ୍ଟରନ୍ୟାସନାଲ ଓ ସ୍ବିସ ଓପନ ସମେତ ଚଳିତ ସିଜିନରେ ପୂର୍ବତନ ବିଶ୍ବ ଚାମ୍ପିୟନ ସିନ୍ଧୁ ଦୁଇଟି ସୁପର ୩୦୦ ଟାଇଟେଲ ନିଜ ନାମରେ କରିଛନ୍ତି । ଏଥିସହ ବିଶ୍ବ ମାନ୍ୟତାର ଏକାଦଶ ସ୍ଥାନରେ ଥିବା ଥାଇ ସର୍ଟଲରଙ୍କ ବିପକ୍ଷରେ ୧୭ଟି ମ୍ୟାଚ୍ରୁ ୧୬-୧ରେ ବିଜୟ ରେକର୍ଡ ରହିଛି । ବିଶ୍ବ ବ୍ୟାଡ୍ମିଣ୍ଟନ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ପିଭି ସିନ୍ଧୁଙ୍କ ପାଇଁ ମ୍ୟାଚ୍ ଆରମ୍ଭ ଭଲ ରହିନଥିଲା । ପ୍ରଥମ ବ୍ରେକ୍ ସୁଦ୍ଧା ୧୧-୯ରେ ଆଗୁଆ ରହିଥିଲେ । ପରେ ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇ ପ୍ରଥମ ସେଟ୍କୁ ହାତେଇଥିଲେ । ଦ୍ବିତୀୟ ସେଟ୍ରେ ୮-୪ରେ ସିନ୍ଧୁ ପଛୁଆ ରହିଥିଲେ, ମାତ୍ର ପରେ ଚମତ୍କାର ପ୍ରଦର୍ଶନ ସହ୧୧-୯ରେ ଆଗୁଆ ହୋଇଥିଲେ । ପରେ ମ୍ୟାଚ୍ର ମୋଡ ନିଜ ଆଡକୁ ବଦଳାଇଥିଲେ ସିନ୍ଧୁ । ପରବର୍ତ୍ତୀ ୧୦ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ ।
ଅନ୍ୟ ଷ୍ଟାର ଭାରତୀୟ ସର୍ଟଲରଙ୍କ ମଧ୍ୟରେ ମାନ୍ୟତାର ନବମ ସ୍ଥାନରେ ଥିବା ବିଶ୍ବ ଚାମ୍ପିୟନସିପ ବ୍ରୋଞ୍ଜ ବିଜେତା ଲକ୍ଷ ସେନ୍ ବିଶ୍ବ ମାନ୍ୟତାର ୨୪ ନମ୍ବର ଖେଳାଳି ଶେସର ହିରେନ ରୁସ୍ତଭିଟୋଙ୍କ ଠାରୁ ୨୦-୨୨, ୯-୨୧ ସେଟ୍ରେ ପରାସ୍ତ ହୋଇଛନ୍ତି । ସେହିପରି ମହିଳା ସର୍ଟଲର ମାଳବିକା ବଂଶଦ ମଧ୍ୟ କ୍ବାର୍ଟର-ଫାଇନାଲ ରେସ୍ରୁ ବାଦ୍ ପଡିଛନ୍ତି । ଥାଇଲାଣ୍ଡର ପର୍ନପାୱି ଚୋଚୁୟଙ୍ଗଙ୍କଠାରୁ ମହିଳା ସିଙ୍ଗଲ୍ସର ଦ୍ବିତୀୟ ରାଉଣ୍ଡ ମ୍ୟାଚ୍ରେ ବଂଶଦ ୮-୨୧, ୧୪-୨୧ ସେଟ୍ରେ ପରାସ୍ତ ହେଇଛନ୍ତି ।
PTI