ନୂଆଦିଲ୍ଲୀ: ଅଲମ୍ପିକ ଯୋଗ୍ୟ ବକ୍ସର ସିମ୍ରନଜିତ କୌର, ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ବିଜେତା ଗୌରବ ସୋଲାଙ୍କି ଓ ବିଶ୍ବ ଚମ୍ପିଆନସିପ ରୌପ୍ୟ ବିଜୟିନୀ ସୋନିଆ ଚହଲ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଏହି 3ଜଣ ଖେଳାଳିଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରିଛି ଭାରତୀୟ ବକ୍ସିଂ ମହାସଂଘ ।
2018 ବିଶ୍ବ ଚମ୍ପିଆନସିପ 60 କିଲୋଗ୍ରାମ ବର୍ଗରେ ସିମ୍ରନଜିତ କାଂସ୍ୟ ପଦକ ଜିତିଥିଲେ । ଆଗାମୀ ମାସରେ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 4 ଭାରତୀୟ ବକ୍ସରଙ୍କ ମଧ୍ୟରେ ସିମ୍ରନଜିତ ରହିଛନ୍ତି ।
ସେହିପରି ପୂର୍ବତନ ଜାତୀୟ ଚମ୍ପିଆନ ସୋଲାଙ୍କି 57 କିଲୋଗ୍ରାମ ବର୍ଗରେ 2018 ସଂସ୍କରଣର ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସମାନ ବର୍ଷ ଚହଲ ମଧ୍ୟ 57 କିଲୋଗ୍ରାମ ବର୍ଗରେ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ହାସଲ କରିଥିଲେ ।
ଗତ 4 ବର୍ଷ ମଧ୍ୟରେ ପ୍ରଦର୍ଶନ ଆଧାରରେ ଏହି 3 ଖେଳାଳିଙ୍କ ନାମ ଚୁଡାନ୍ତ କରାଯାଇଥିବା କହିଛନ୍ତି, BFI ସାଧାରଣ ସମ୍ପାଦକ ହେମନ୍ତ କାଲିତା ।
ଅର୍ଜୁନ ଆୱାର୍ଡ ବିଜେତାଙ୍କ ପାଇଁ 15 ଲକ୍ଷ ରହିଛି ପୁରସ୍କାର ରାଶି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ