ହାଇଦ୍ରାବାଦ: ପ୍ରଥମ ଥର ପାଇଁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଭର୍ଚୁଆଲ ଅନୁଷ୍ଠିତ ହେବ । କୋରୋନା ଭାଇରସ କାରଣରୁ ରାଷ୍ଟ୍ରପତି ଭବନରେ ପୂର୍ବ ବର୍ଷ ପରି ଆୟୋଜିତ ହେବନି ସମାରୋହ । ଅଗଷ୍ଟରେ ସମସ୍ତ ପୁରସ୍କାର ବିଜେତା ଅନଲାଇନରେ ଉପସ୍ଥିତ ରହିବା ସହ, ନିରାଡମ୍ବର ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେତାଙ୍କ ନାମ ଘୋଷଣା କରିବେ ।
ଅଗଷ୍ଟ 29 ଭାରତୀୟ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀକୁ ଜାତୀୟ କ୍ରୀଡା ଦିବସ ପାଳନ ହୋଇଆସୁଛି । ଅଗଷ୍ଟ 29ରେ ପ୍ରତି ବର୍ଷ ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ, ଅର୍ଜୁନ ଆୱାର୍ଡ, ଦ୍ରୋଣାଚାର୍ଯ୍ୟ ଆୱାର୍ଡ ଓ ଧ୍ୟାନଚାନ୍ଦ ଆୱାର୍ଡ ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଏ ।
ଚଳିତ ବର୍ଷ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ମାରିୟାପ୍ପନ ଥାଙ୍ଗାଭେଲୁ(ପାରାଅଲମ୍ପିକ୍ସ), ମୋନିକା ବାତ୍ରା(ଟେବୁଲ ଟେନିସ), ଭିନେଶ ଫୋଗଟ(କୁସ୍ତି) ଓ ରାନୀ ରାମପାଲ(ହକି)ଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ ଓ 29 ଜଣଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।
ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ 13ଜଣ କୋଚ ଓ 15 ଜଣଙ୍କୁ ଧ୍ୟାନଚାନ୍ଦ ସମ୍ମାନ ପ୍ରଦାନ କରାଯିବ ।
ବର୍ତ୍ତମାନ ସମୟରେ ଖେଳରତ୍ନ ପାଇଁ ଲାଗୁ ଥିବା ପୁରସ୍କାର ରାଶି ବାବଦକୁ 7.7 ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ସେହିପରି ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତାଙ୍କୁ 5ଲକ୍ଷ ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଉଛି ।
ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ
ନିୟମ ଅନୁଯାୟୀ, ଅଲମ୍ପିକ ଓ ପାରାଅଲମ୍ପିକ ମେଡାଲ ବିଜେତା ସିଧାସଳଖ ଖେଳରତ୍ନ ପାଇଁ ମନୋନୀତ ହୋଇପାରିବେ । ଅଲମ୍ପିକ ଓ ପାରାଅଲମ୍ପିକ ମେଡାଲ ବିଜେତା ବ୍ୟତୀତ ବିଶ୍ବ ଚମ୍ପିଆନସିପ /ବିଶ୍ବକପ(4ବର୍ଷରେ ଥରେ) ଇଭେଣ୍ଟରେ ଗୋଲ୍ଡ ମେଡାଲ(40 ପଏଣ୍ଟ), ସିଲଭର ମେଡାଲ(30 ପଏଣ୍ଟ), ବ୍ରୋଞ୍ଜ ମେଡାଲ(20 ପଏଣ୍ଟ); ଏସିଆନ ଚମ୍ପିଆନସିପ ଓ କମନୱେଲ୍ଥ ଗେମ୍ସରେ 10, 7, 5 ପଏଣ୍ଟ ବିଚାରକୁ ନିଆଯାଇଥାଏ ।
ଅର୍ଜୁନ ଆୱାର୍ଡ ଚୟନ ପ୍ରକ୍ରିୟା
ଭାରତ ସରକାର ବର୍ଷ 1961ରୁ ଅର୍ଜୁନ ଆୱାର୍ଡ ପ୍ରଦାନ କରିଆସୁଛନ୍ତି । ଜଣେ ଅର୍ଜୁନ ଆୱାର୍ଡ ବିଜେତାଙ୍କୁ 5ଲକ୍ଷ ଟଙ୍କାର ପୁରସ୍କାର ରାଶି, ବ୍ରୋଞ୍ଜର ଏକ ଅର୍ଜୁନ ପ୍ରତିମୂର୍ତ୍ତୀ ଓ ଏକ ସ୍କ୍ରଲ ପ୍ରଦାନ କରାଯାଏ ।
କ୍ରୀଡାମନ୍ତ୍ରଣାଳୟର ନିୟମାବଳୀ ଅନୁଯାୟୀ, ଅନ୍ତର୍ଜାତୀୟ ସ୍ତରରେ କ୍ରମାଗତ ପ୍ରଭାବି ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରାଯାଇପାରିବ ।
ନିୟମାବଳୀ ଅନୁଯାୟୀ, କ୍ରୀଡାବିତଙ୍କ ମଧ୍ୟରେ ନେତୃତ୍ବ, ଖେଳୁଆଳ ମନୋଭାବ ଓ ଶୃଙ୍ଖଳାକୁ ପାଳନ କରୁଥିବା ଆବଶ୍ଯକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ