ହାଇଦ୍ରାବଦ: ଅଲମ୍ପିକ୍ ପଦକ ବିଜେତା ପୂର୍ବତନ ହକି ଷ୍ଟାର୍ ବରିନ୍ଦର ସିଂହଙ୍କର ପରଲୋକ ହୋଇଛି । ଆଜି (ମଙ୍ଗଳବାର)ସକାଳେ ପଞ୍ଜାବ ଜଲନ୍ଧରରେ ୭୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ୧୯୭୫ ମସିହା କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଥିବା ପୁରଷ ହକି ବିଶ୍ବକପରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ବରିନ୍ଦର ସିଂହ । ଏହି ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭାରତ ପରମ ପ୍ରତିଦ୍ବନ୍ଦୀ ପାକିସ୍ଥାନକୁ ୨-୧ ଗୋଲରେ ହରାଇ ଚମ୍ପିଆନ୍ ହୋଇଥିଲା ।
୧୯୭୨ ମସିହା ମ୍ୟୁନିକ୍ ଅଲମ୍ପିକ ଗେମ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ବିଜୟୀ ହୋଇଥିଲା । ଏହି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ବରିନ୍ଦର ସିଂହ । ଦଳରେ ସେ ସେଣ୍ଟର ଫରୱାର୍ଡ ପଜିସନରେ ଖେଳାଳି ଭାବରେ ସାମିଲ ଥିଲେ । ଏହା ସହିତ ୧୯୭୩ ମସିହା ଆମଷ୍ଟରଡାମ୍ରେ ଖେଳାଯାଇଥିବା ହକି ବିଶ୍ବକପରେ ଭାରତ ରୌପ୍ୟ ପଦକ ହାତେଇଥିଲା । ସେହି ଦଳର ମଧ୍ୟ ସଦସ୍ୟ ରହିଥିଲେ ବରିନ୍ଦର ସିଂହ । ୧୯୭୬ ମସିହା ମଣ୍ଟ୍ରେଆଲ୍ ସମର ଅଲମ୍ପିକ ଗେମ୍ସରେ ଭାରତୀୟ ଦଳର ସଦସ୍ୟ ରହିଥିଲେ ବରିନ୍ଦର ।
୨୦୦୭ ମସିହାରେ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଅଲମ୍ପିକ୍ ପଦକ ବିଜେତା ବରିନ୍ଦର ସିଂହ । ପୂର୍ବତନ ହକି ଷ୍ଟାର୍ ବରିନ୍ଦର ସିଂହଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛି ହକି ଇଣ୍ଡିଆ । ହକି ପ୍ରତି ଥିବା ବରିନ୍ଦର ସିଂହଙ୍କ ତ୍ୟାଗ ଏବଂ ଯୋଗଦାନକୁ ବିଶ୍ବ ସବୁବେଳେ ମନେରଖିବ ବୋଲି କହଛି ହକି ଇଣ୍ଡିଆ ।