ଚଣ୍ଡିଗଡ: କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥାରେ ହେଉଛି ଉନ୍ନତି । କୋଭିଡ-19ରେ ସଂକ୍ରମିତ ହେବାପରେ PGIMER ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ମିଲଖା । ତେବେ ଧୀରେ ଧୀରେ ସେ ସୁସ୍ଥ ହେଉଥିବା ଶନିବାର ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଛନ୍ତି । "ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଓ ଉନ୍ନତି ଘଟୁଛି ମାତ୍ର ସେ ଏବେବି ଆଇସିୟୁରେ ରହିଛନ୍ତି ।" PGIMER ହସ୍ପିଟାଲର ଜଣେ ମୁଖପାତ୍ର ଏହା କହିଛନ୍ତି । ଜୁନ୍ 3ରେ ହସ୍ପିଟାଲରେ ଭର୍ତ୍ତି ହେବାପରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ ନିୟମିତ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।
ପୂର୍ବରୁ 91 ବର୍ଷୀୟ ମିଲଖା କୋରୋନା ପଜିଟିଭ ଚିହ୍ନଟ ପରେ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ମଧ୍ୟ ଫେରିଥିଲେ ।
ମାତ୍ର ଶରୀରରେ ଅକ୍ସିଜେନ ମାତ୍ର କମ୍ ହେବାପରେ ତାଙ୍କୁ PGIMER ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପତ୍ନୀ 82 ବର୍ଷୀୟା ନିର୍ମଳ କୌରଙ୍କର ମଧ୍ୟ ଫୋର୍ଟିସ ହସ୍ପିଟାଲରେ କୋଭିଡ-19 ଚିକିତ୍ସା ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ