ନୂଆଦିଲ୍ଲୀ: ଏସିଆନ ବକ୍ସିଂ ଚମ୍ପିଆନସିପରେ ଭାରତୀୟ ଦଳର ନେତୃତ୍ବ ନେବେ 6ଥରର ବିଶ୍ବ ଚମ୍ପିଆନ ମେରିକମ । ମେ' ମାସରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏସିଆନ ଚମ୍ପିଆନସିପ ଆରମ୍ଭ ହେବ । ଏହାକୁ ନେଇ ଭାରତୀୟ ବକ୍ସିଂ ମହାସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଚମ୍ପିଆନସିପ ପାଇଁ ଗତ ସପ୍ତାହରେ ହୋଇଥିବା ଅଣ ଅଲମ୍ପିକ୍ସ ଚୟନ ପ୍ରକ୍ରିୟାରେ ମେରିକମ ଭାଗ ନେଇନଥିଲେ। କେବଳ ମେରିକମ ନୁହେଁ ସିମରନଜିତ କୌର, ଲୋବନିଲା ବୋରଗୋହୈନ ଓ ପୂଜା ରାଣୀ ମଧ୍ୟ ଏହି ଚୟନ ପ୍ରକ୍ରିୟାରେ ଭାଗ ନେଇନଥିଲେ। ତେବେ ଅଲମ୍ପିକ୍ସ ପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଛନ୍ତି ମେରିକମ।
ଏସିଆନ ବକ୍ସିଂ ଚମ୍ପିଆନସିପ ପାଇଁ 48 କେଜି ବର୍ଗରେ ମୋନିକା, 54 କେଜି ବର୍ଗରେ ସାକ୍ଷୀ, 57 କେଜି ବର୍ଗରେ ଜଶମିନ, 64 କେଜି ବର୍ଗରେ ପ୍ବିଲାଓ ବାସୁମତାରୀ ଓ 81 କେଜି ବର୍ଗରେ ସ୍ବିଟି ବୋରାଙ୍କୁ ଚୟନ କରାଯାଇଛି। ବର୍ତ୍ତମାନ ସମସ୍ତ ବକ୍ସର ଇନ୍ଦିରାଗାନ୍ଧୀର ଜାତୀୟ କ୍ୟାମ୍ପରେ ରହିଛନ୍ତି।
ଜାତୀୟ କ୍ୟାମ୍ପ ପରେ ଏହି ସମସ୍ତ ଖେଳାଳି ବାୟୋବବଲରେ ରହିବେ। ବାୟୋବବଲରେ ରହିବା ପରେ କୌଣସି ଖେଳାଳିଙ୍କୁ ଷ୍ଟାଡିୟମ ବାହାରକୁ ଯିବାକୁ ଦିଆଯିବ ନାହିଁ। ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଭାରତୀୟ ଦଳ ଗତ ମାର୍ଚ୍ଚ ମାସରେ ସ୍ପେନର ଏକ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ