ଭୁବନେଶ୍ବର : ଇଣ୍ଡିଆ ଇଣ୍ଡିଆ ଧ୍ବନୀରେ କମ୍ପିଲା କଳିଙ୍ଗ । ୱେଲ୍ସ ରୋମାଞ୍ଚକର ବିଜୟ ହାସଲ କଲା ଭାରତ । ହକି ବିଶ୍ବକପ ୨୦୨୩ ଆଜି (ଗୁରୁବାର) ସପ୍ତମ ଦିନରେ ପହଁଞ୍ଚିଛି । ଆଜିର ମ୍ୟାଚରେ ଚତୁର୍ଥ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ବନାମ ୱେଲ୍ସ । ଏହି ମ୍ୟାଚରେ ଭାରତ ୪-୨ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଆକାଶଦୀପ ସିଂହ ଦୁଇଟି ଗୋଲ ଦେଇ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଏହି ବିଜୟ ସହ ଟିମ ଇଣ୍ଡିଆ ୭ ପଏଣ୍ଟ ସହିତ ହକି ବିଶ୍ବକପ ୨୦୨୩ ପୁଲ D ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । କ୍ବାର୍ଟର ଫାଇନାଲ ଟିକେଟ ହାତେଇବାକୁ ହେଲେ ମେନ୍ ଇନ୍ ବ୍ଲୁକୁ ନ୍ୟୁଜିଲାଣ୍ଡ ଟିମ ସହିତ କ୍ରସ ଓଭର ମ୍ୟାଚ ଖେଳିବାକୁ ପଡିବ । ଏହି ମ୍ୟାଚ ଆସନ୍ତା ୨୨ ତାରିଖରେ ଖେଳାଯିବ ।
କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲ୍ସ ମଧ୍ୟରେ ଆଜି ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିଥିଲା । ଭାରତର ଏହି ରୋମାଞ୍ଚକର ବିଜୟ ପରେ ତ୍ରିରଙ୍ଗାରେ କଳିଙ୍ଗ ଷ୍ଟାଡିୟମରେ ଛାଇ ଯାଇଥିଲା । ଇଣ୍ଡିଆ ଇଣ୍ଡିଆ ନାମରେ କମ୍ପି ଉଠିଥିଲା ଷ୍ଟାଡିୟମ । ଆକାଶଦୀପ ସିଂହ ସର୍ବାଧିକ ଦୁଇଟି ଗୋଲ ଦେଇ ଆଜିର ମ୍ୟାଚରେ ହିରୋ ସାଜିଥିଲେ । ସେହିପରି ଅଧିନାୟକ ହରମନପ୍ରିତ ସିଂହ ଗୋଟିଏ ଗୋଲ ଦେଇଥିବା ବେଳେ ସମଶେର ସିଂହ ଗୋଟିଏ ଗୋଲ ଦେଇଥିଲେ ।
ପ୍ରାରମ୍ଭରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ସମଶେର ସିଂହ ପ୍ରଥମ ଗୋଲ ଦେଇ ଟିମ ଇଣ୍ଡିଆର ଖାତା ଖୋଲିଥିଲେ । ସେ ଏହି ଗୋଲ ମ୍ୟାଚର ୨୨ ମିନିଟରେ ଦେଇଥିଲେ । ପ୍ରଥମାର୍ଦ୍ଧରେ ଭାରତ କେବଳ ଗୋଟିଏ ଗୋଲ ହିଁ କରିପାରିଥିଲା । ସେପଟେ ହକି ବିଶ୍ବକପ ୨୦୨୩ରେ ବିଜୟ ସ୍ବାଦ ଚାଖି ପାରିନଥିବା ୱେଲ୍ସ ପ୍ରଥମାର୍ଦ୍ଧରେ ଗୋଟିଏ ବି ଗୋଲ କରି ନ ପାରି ବିଫଳ ରହିଥିଲା ।
ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଭାରତ ୱେଲ୍ସ ମଧ୍ୟରେ ହୋଇଥିଲା ଅସଲ ଲଢେଇ । ଉଭୟ ଦଳ ଗୋଲ ପାଇଁ ପ୍ରତି ମିନିଟରେ ସଂଘର୍ଷ କରୁଥିଲେ । ପରେ ମ୍ୟାଚର ୩୩ ମିନିଟରେ ଆକାଶଦୀପ ସିଂହ ଗୋଟିଏ ଗୋଲ ଦେଇ ଟିମ ଇଣ୍ଡିଆର ସ୍ଥିତି ମଜଭୁତ କରିଥିଲେ । ସେପଟେ ଗୋଲ ପାଇଁ ଲଢେଇ ଜାରି ରଖିଥିବା ୱେଲ୍ସ ହାର ମାନି ନଥିଲା । ମ୍ୟାଚର ୪୩ ମିନିଟରେ ୱେଲ୍ସ ପ୍ରଥମ ଗୋଲ ଦେଇଥିଲା । ଗାରିଥ ଫୁରଲଙ୍ଗ ଏହି ଗୋଲ ଦେଇ ୱେଲ୍ସର ଖାତା ଖୋଲିଥିଲେ । ଏହାପରେ ଦୁଇ ମିନିଟ ପରେ ୱେଲ୍ସ ଆକସ୍ମିକ ଭାବରେ ଆଉ ଗୋଟିଏ ଗୋଲ ଦେଇଥିଲା । ଅର୍ଥାତ ମ୍ୟାଚ୍ର ୪୫ ମିନିଟରେ ୱେଲ୍ସର ଡ୍ରାପର ଜାକୋବ ଗୋଟିଏ ଗୋଲ ଦେଇଥିଲେ । ୱେଲ୍ସ ହକି ଟିମ୍ର ଏହି ଦୁଇଟି ଗୋଲ୍ ପରେ ଖେଳର ସ୍ଥିତି ୨-୨ରେ ବରାବର ରହିଥିଲା ।
ଏହାପରେ ମ୍ୟାଚର ୪୬ ମିନିଟରେ ଆକାଶଦୀପ ସିଂହ ଆଉ ଗୋଟିଏ ଗୋଲ ଦେଇ ମ୍ୟାଚକୁ ଟିମ ଇଣ୍ଡିଆ ସପକ୍ଷରେ ନେଇଥିଲେ । ଭାରତର ଗୋଲ ସଂଖ୍ୟା ୩ରେ ପହଁଞ୍ଚିଥିଲା । ଏହା ପରେ ଦୁଇ ଦଳ ମଧ୍ୟରେ ଜାରି ରହିଥିଲା ଜବରଦସ୍ତ ଲଢେଇ । ମ୍ୟାଚର ୬୦ ମିନିଟରେ ଅଧିନାୟକ ହରମନପ୍ରିତ ସିଂହ ଗୋଟିଏ ଗୋଲ ଦେଇ ଟିମ ଇଣ୍ଡିଆର ଗୋଲ ସଂଖ୍ୟା ୪କୁ ବୃଦ୍ଧି କରାଇଥିଲେ । ଖେଳର ନିର୍ଦ୍ଧାରିତ ସମୟରେ ଭାରତ ମୋଟ ୪ ଟି ଗୋଲ କରିପାରିଥିଲା । ସେପଟେ ୱେଲ୍ସ ୨ ଗୋଲ ଦେଇଥିଲା । ତେବେ ଆଜିର ବିଜୟ ପରେ ଭାରତକୁ କ୍ବାର୍ଟର ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡ ସହିତ କ୍ରସ ଓଭର ମ୍ୟାଚ ଖେଳିବାକୁ ପଡିବ ।