ଭୁବନେଶ୍ବର: FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପ ୨୦୨୨(Under-17 women's world cup) ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ-୦ରେ ବଡ ବ୍ୟବଧାନରେ ଆମେରିକା ଠାରୁ ପରାସ୍ତ ହୋଇଛି । ତେବେ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ ଟିମ କୋଚ୍ ଥୋମାସ ଡେନର୍ବେ । ମ୍ୟାଚ୍ ପ୍ରଦର୍ଶନ ନେଇ କୋଚ୍ ଡେନର୍ବେ କହିଛନ୍ତି, "ଡେବ୍ୟୁ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ମ୍ୟାଚ୍ ସମୟର ଚାପ ନିଯନ୍ତ୍ରଣ କରିବାକୁ ସମର୍ଥ ହୋଇପାରିନଥିଲେ ଭାରତୀୟ ଖେଳାଳି । ଏଥିସହ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ପ୍ରାରମ୍ଭିକ ତ୍ରୁଟି ସଂପୂର୍ଣ୍ଣ ମ୍ୟାଚ୍ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରତିପକ୍ଷ ଟିମ ସାମ୍ନାରେ ଭାରତୀୟ ଖେଳାଳି ସାମାନ୍ୟ ନର୍ଭସ ଅନୁଭବ କରିଥିଲେ । ବିଶ୍ବକପରେ ଏହା ସେମାନଙ୍କର ପ୍ରଥମ ମ୍ୟାଚ୍ ହୋଇଥିବାରୁ ମ୍ୟାଚ୍ ପ୍ରେସର ହ୍ୟାଣ୍ଡେଲ୍ କରିପାରିଲେ ନାହିଁ । ଆମେରିକା ଭଳି ପ୍ରତିପକ୍ଷ ଟିମ ସାମ୍ନାରେ ନିଜର ଇମୋସନ ନିୟନ୍ତ୍ରଣରେ ରଖିବା ବିଲକୁଲ ସହଜ ନୁହେଁ । ଆମର ଏହା ଶ୍ରେଷ୍ଠ ଟିମ ଥିଲା, ମାତ୍ର ଆମ ପାଇଁ କିଛି ବି ସହଜ ନଥିଲା । ଆମେ ବଲ୍କୁ ପାସ୍ କରିବା କିମ୍ବା ସୁଯୋଗ ସୃଷ୍ଟି କରିବାରେ ସାମାନ୍ୟ ଆତ୍ମବିଶ୍ବାସ କମ ଦେଖାଇଥିଲୁ । ପ୍ରାରମ୍ଭିକ ତ୍ରୁଟି ମଧ୍ୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା ।" ସର୍ବଭାରତୀୟ ଫୁଟବଲ ମହାସଂଘ ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମ୍ୟାଚ୍ ପରେ ପ୍ରଦର୍ଶନକୁ ନେଇ ଏହି ପ୍ରତିକ୍ରିୟା ରଖିଥିଲେ ଭାରତୀୟ ଟିମର ମୁଖ୍ୟ କୋଚ୍ ।
ଭାରତୀୟ ଟିମ FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପ ୨୦୨୨ରେ ଖେଳିଥିବା ପ୍ରଥମ ମ୍ୟାଚ୍ରେ ଆମେରିକା ଠାରୁ ୦-୮ରେ ପରାସ୍ତ ହୋଇଛି । କ୍ୟାପଟେନ ଆସ୍ତମ ଓରାଅନ ଟିମର ତ୍ରୁଟିକୁ ସ୍ବୀକାର କରିବା ସହ କହିଛନ୍ତି, "ସେମାନଙ୍କ ସାମ୍ନାରେ ଆମେ ଯଥେଷ୍ଟ ନଥିଲୁ, ସେମାନଙ୍କର ଗତି, ଚାପଯୁକ୍ତ କୌଶଳ ସବୁକିଛି ଶକ୍ତିଶାଳୀ ଥିଲା । ତେବେ ଏହି ପରାଜୟରୁ ଆମେ ଅନେକ କିଛି ଶିକ୍ଷାଲାଭ କରିଛୁ । ଆମର ପରବର୍ତ୍ତୀ ମ୍ୟାଚ୍ରେ ଆମେ ଏହା କାମରେ ଲଗାଇବାକୁ ପ୍ରୟାସ କରିବୁ । ଦିନ ଆସିବ ବିଜୟ ଆମର ହେବ, ବିଜୟର ନୂଆ ସୂର୍ଯ୍ୟ ଉଦୟ ହେବ, ଖୁସିର ସକାଳ ହେବ । ପରାଜୟକୁ ସ୍ବୀକାର କରୁଛୁ ଓ ଅଧିକ ଆତ୍ମବିଶ୍ବାସର ସହ ଆଗାମୀ ମ୍ୟାଚ୍ରେ ଫେରିବାକୁ ଲକ୍ଷ୍ୟ ରଖିଛୁ ।"
ଭାରତୀୟ ୧୭ ବର୍ଷରୁ କମ ମହିଳା ଫୁଟବଲ ଟିମ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ୦-୮ ପରାଜୟରୁ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ଏହି ପରାଜୟ ୧୭ବର୍ଷ ବର୍ଗରେ ଭାରତୀୟ ମହିଳା ଫୁଟବଲର ଟିମର ଏହା ସର୍ବବୃହତ ପରାଜୟ । ଏହି ବଡ ବ୍ୟବଧାନର ପରାଜୟ ଭାରତକୁ ନିଜ ଗ୍ରୁପରେ ପଏଣ୍ଟ ଟେବୁଲର ଶେଷକୁ ଠେଲିଦେଇଛି । ଆମେରିକା(USA) ଗ୍ରୁପ ଏ'ରେ ପ୍ରଥମ ସ୍ଥାନରେ ଥିବାବେଳେ, ମରୋକ୍କୋକୁ ୧-୦ ଗୋଲ୍ରେ ହରାଇ ବ୍ରାଜିଲ ଦ୍ବିତୀୟ ସ୍ଥାନରେ ରହିଛି ।
ଭାରତ ବିପକ୍ଷରେ ଆମେରିକା ପକ୍ଷରୁ ମେଲିନା ରେବିମ୍ବାସ ଦୁଇଟି ଗୋଲ୍ ମ୍ୟାଚ୍ର ନବମ ମିନିଟ୍ରେ ଓ ୩୧ତମ ମିନିଟ୍ରେ କରିଥିଲେ । ସେହିପରି ଚରଲୋଟ କୋହଲର(୧୪'), ଓନେୟାକା ଗାମିଓ(୨୪'), ଗିସଲେ ଥୋମ୍ପସନ(୩୮'), ଇଲା ଏମରି(୫୨'), ଟେଲର ସୁଆରେଜ(୫୮' P) ଓ ମିଆ ଭୁଟା(୬୦') ମିନିଟ୍ରେ ଗୋଲ୍ କରିଥିଲେ । ଏହା ମଧ୍ୟ FIFA U-୧୭ ମହିଳା ବିଶ୍ବକପରେ ଆମେରିକାର ସର୍ବବୃହତ ବିଜୟ ।