ଦୋହା : ଫିଫା ବିଶ୍ବକପ ୨୦୨୨ରେ ଗୋଲ୍ଡେନ ବୁଟ ହାତେଇଲେ ଫ୍ରାନ୍ସର ଷ୍ଟାର ଖେଳାଳି କିଲିୟନ ଏମ୍ବାପେ । ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଥିଲା ଫ୍ରାନ୍ସ । ହେଲେ ଷ୍ଟାଡିୟମରେ ସମସ୍ତଙ୍କ ହୃଦୟ ଜିଣିଥିଲେ କିଲିୟନ ଏମ୍ବାପେ । ଆର୍ଜେଣ୍ଟିନା ଫିଫା ବିଶ୍ବକପ ୨୦୨୨ ଟାଇଟଲ ହାସଲ କରିଛି । ଫାଇାନାଲ ମ୍ୟାଚରେ ପ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ କଡା ଟକ୍କର ହୋଇଥିଲା । ଶେଷରେ ପେନାଲ୍ଟି ସୁଟ ଆଉଟରେ ମ୍ୟାଚର ଫଳାଫଳ ବାହାରିଥିଲା । ଫ୍ରାନ୍ସ ଫୁଟବଲର କିଲିୟନ୍ ଏମ୍ବାପେଙ୍କର ଐତିହାସିକ ଗୋଲ ସତ୍ତ୍ବେ ବି ଫ୍ରାନ୍ସ ଫାଇନାଲ ମ୍ୟାଚରେ ପରାଜୟର ସ୍ବାଦ ଚାଖିଥିଲା । ଚଳିତ ବିଶ୍ବକପରେ ଏମ୍ବାପେ ୮ ଗୋଲ ଦେଇ ଗୋଲ୍ଡେନ ବୁଟ ପୁରସ୍କାର ହାସଲ କରିଛନ୍ତି । ଏମ୍ବାପେ ଫାଇନାଲ ମ୍ୟାଚରେ ହ୍ୟାଟ୍ରିକ ଗୋଲ ଦେଇ ଇତିହାସ ରଚିଥିଲେ । ହେଲେ ତାଙ୍କର ହ୍ୟାଟ୍ରିକ ଗୋଲ ପରେ ବି ଦଳକୁ ଉପବିଜେତା ଭାବରେ ସନ୍ତୁଷ୍ଟ ହେବାକୁ ପଡିଛି ।
ଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ଫଳରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଆନ ହୋଇଥିଲା । ଏଥର ବିଶ୍ବକପରେ ଆର୍ଜେଣ୍ଟିନା ଅଧିନାୟକ ତଥା ଲୋକପ୍ରିୟ ଖେଳାଳି ଲିଓନେଲ ମେସି ୭ ଟି ଗୋଲ ଦେଇଥିଲେ । ଯେଉଁ କାରଣରୁ ସେ ଗୋଲ୍ଡେନ ବୁଟ ରେସରୁ ବାଦ ପଡିଛନ୍ତି । ୨୩ ବର୍ଷିୟ ଏମ୍ବାପେ କ୍ବାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚରେ ଗୋଲ ଦେଇନଥିଲେ । ଗ୍ରୁପ ମୁକାବିଲାରେ ଏମ୍ବାପେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲେ । ଡେନମାର୍କ ବିପକ୍ଷରେ ୨ ଟି ଗୋଲ ଦେଇଥିଲେ । ରାଉଣ୍ଡ ୧୬ ମ୍ୟାଚରେ ପୋଲାଣ୍ଡ ବିପକ୍ଷରେ ୨ ଟି ଗୋଲ ଦେଇଥିଲେ । ଫାଇନାଲରେ ଆର୍ଜେଣ୍ଟିନା ବିପକ୍ଷରେ ହ୍ୟାଟ୍ରିକ ଗୋଲ ଦେଇଥିଲେ କିଲିୟନ ଏମ୍ବାପେ ।
ଗୋଲ୍ଡେନ ବୁଟ ହରାଇଥିବା ମେସି ଚଳିତ ବିଶ୍ବକପରେ 7 ଗୋଲ ସ୍କୋର କରିଥିଲେ । ସେମିଫାଇନାଲରେ କ୍ରୋଏସିଆ ବିପକ୍ଷରେ ଏବଂ କ୍ବାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲେ । ରାଉଣ୍ଡ -16ରେ ଅଷ୍ଟ୍ରେଲିଆ ବିପକ୍ଷରେ ମେସି ଗୋଟିଏ ଗୋଲ ଦେଇଥିଲେ । ଗ୍ରୁପ ପର୍ଯ୍ୟାୟରେ ସାଉଦି ଆରବ ଏବଂ ମେକ୍ସିକୋ ବିପକ୍ଷରେ ମେସି ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଫାଇନାଲରେ ମେସି ୨ ଟି ଗୋଲ ଦେଇଥିଲେ ।
କଣ ଏହି ଗୋଲଡେନ ବୁଟ ପୁରସ୍କାର
ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ଗୋଲ କରିଥିବା ଫୁଟବଲରଙ୍କୁ ଏହି ଗୋଲଡେନ ବୁଟ ପୁରସ୍କାର ଦିଆଯାଇଥାଏ । ବର୍ଷ ୨୦୧୮ରେ ଇଂଲଣ୍ଡ ଫୁଟବଲର ହୈରୀ କେନ ଗୋଲଡେନ ବୁଟ ଜିତି ଥିଲେ । ସେ ଗତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ପକ୍ଷରୁ ଖେଳି ସର୍ବାଧିକ ୬ଟି ଗୋଲ ଦେଇଥିଲେ ।