ଭୁବନେଶ୍ବର: ଆରମ୍ଭ ହେଲା ଓଡିଶା ମହିଳା ଫୁଟବଲ ଲିଗ । ଓଡିଶା ଫୁଟବଲ ଆସୋସିଏସନ ଓ ରାଜ୍ୟ କ୍ରୀଡା, ଯୁବସେବା ବିଭାଗର ମିଳିତ ସହଭାଗୀତାରେ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ ଓ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଛି ଏହି ଲିଗ ।
ଓଡିଶା ଫୁଟବଲ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭିନିଲ କ୍ରିଷ୍ଣା ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ସହ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲିଗ୍ର ପ୍ରଥମ ମ୍ୟାଚ ଓଡିଶା ପୋଲିସ ଓ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଖେଳା ଯାଇଥିଲା। ସ୍ପୋର୍ଟସ ହଷ୍ଟେଲର ଖେଳାଳି ପ୍ରଭାବୀ ପ୍ରଦର୍ଶନ ସହ 6-1 ଗୋଲ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ମ୍ୟାଚ ଆରମ୍ଭର ପ୍ରଥମ12 ମିନିଟରେ ଦଳ ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ ମାଳତି ମୁଣ୍ଡା । ଏହାପରେ 29 ଓ 68ତମ ମିନିଟରେ ଆଉ ଦୁଇଟି ଗୋଲ୍ ସହ ମୋଟ 3ଟି ଗୋଲ୍ କରିଥିଲେ। ସ୍ପୋର୍ଟସ ହଷ୍ଟେଲର ଅନ୍ୟତମ ଖେଳାଳି ମନୀଷା ନାୟକ ମଧ୍ୟ 3ଟି ଗୋଲ ଯଥାକ୍ରମେ 23, 28 ଓ 77ତମ ମିନିଟରେ କରିବା ସହ ଦଳର ବିଜୟରେ ମୁଖ୍ୟ ଭୂମିକା ନିଭାଇ ଥିଲେ।
ଓଡିଶା ପୋଲିସ ପକ୍ଷରୁ ଏକମାତ୍ର ଗୋଲ୍ ମ୍ୟାଚର 53ତମ ମିନିଟରେ ସୋନାଲି ଓରାମ କରିଥିଲେ । ତେବେ ସମସ୍ତ ପ୍ରୟାସ ସତ୍ତ୍ବେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଓଡିଶା ପୋଲିସ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲା । ଅନ୍ୟପଟେ ସ୍ପୋର୍ଟସ ହଷ୍ଟେଲ ନିୟମିତ ସମୟ ବ୍ୟବଧାନରେ ଗୋଲ୍ କରିବା ସହ ଚାପ ସୃଷ୍ଟି କରିଥିଲା ଓ 6-1ରେ ବିଜୟୀ ହୋଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ