ଦୋହା: ଟିମ ଇଣ୍ଡିଆର ବିଜୟର ଯାତ୍ରା ବଜାୟ ରଖିବାକୁ ସମସ୍ତ ପ୍ରୟାସ କରିବେ ବୋଲି କହିଛନ୍ତି ଭାରତୀୟ କ୍ୟାପଟେନ ସୁନୀଲ ଛେତ୍ରୀ । ସୋମବାର ଭାରତ 2-0ରେ ବାଂଲାଦେଶକୁ FIFA ବିଶ୍ବକପ 2022 ଓ AFC ଏସିଆନ କପ 2023 କ୍ବାଲିଫାୟର ମ୍ୟାଚରେ ପରାସ୍ତ କରିଥିଲା । ଜୁନ 15ରେ ଆଫଗାନିସ୍ତାନ ବିପକ୍ଷରେ ଗ୍ରୁପ ଇ ର ଶେଷ ମ୍ୟାଚ ଖେଳିବ ଭାରତ । ତେବେ ଏହି ମ୍ୟାଚ ପୂର୍ବରୁ ଟିମର ସମସ୍ତ ଖେଳାଳିଙ୍କ ଉଦ୍ଦେଶ୍ୟରେ ସକରାତ୍ମକ ବାର୍ତ୍ତା ରଖିଛନ୍ତି କ୍ୟାପଟେନ ଛେତ୍ରୀ । ଖେଳାଳିଙ୍କ ମନୋବଳ ବୃଦ୍ଧି କରିବାକୁ ଛେତ୍ରୀ କହିଛନ୍ତି, ଭାରତୀୟ ଫୁଟବଲ ଟିମ ମହୁମାଛି ପରି ଲଢେଇ କରିବା ଉଚିତ ।
7ଟି ମ୍ୟାଚରୁ 6 ପଏଣ୍ଟା ସହ ଭାରତ ଗ୍ରୁପ ଇ'ର ତୃତୀୟ ସ୍ଥାନରେ ରହିଛି । 3ଟି ମ୍ୟାଚରେ ପରାଜୟ ମିଳିଥିବା ବେଳେ 3ଟି ମ୍ୟାଚ ଡ୍ରରେ ଶେଷ ହୋଇଛି । କ୍ବାତାର ଗ୍ରୁପ ଇ'ରେ 8ଟି ମ୍ୟାଚରୁ 7ଟି ବିଜୟ ସହ 22 ପଏଣ୍ଟ ସହ ଶୀର୍ଷରେ ରହିଛି । ସେହିପରି ଓମାନ 6ଟି ମ୍ୟାଚ୍ରୁ 12 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି ।
ଭାରତ 2022 ବିଶ୍ବକପରୁ ବାଦ ପଡିସାରିଥିବାବେଳେ ଏସିଆନ କପ 2023 ଯୋଗ୍ୟତା ଅର୍ଜନ କରିବା ରେସ୍ରେ ରହିଛି । ଛେତ୍ରୀ 117ଟି ମ୍ୟାଚରୁ 74ଟି ଅନ୍ତର୍ଜାତୀୟ ଗୋଲ୍ ସହ ଶ୍ରେଷ୍ଠ 10 ଅନ୍ତର୍ଜାତୀୟ ଗୋଲ୍ କରିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ