ହାଇଦ୍ରାବାଦ: ଏସିଆନ ଫୁଟବଲ କନଫେଡେରେସନର ବଡ ଘୋଷଣା । AFC ମହିଳା ଏସିଆନ କପ୍ ଜାନୁଆରୀ 20ରୁ ଫେବୃଆରୀ 6 ପର୍ଯ୍ୟନ୍ତ ଖେଳାଯିବ । ଏନେଇ AFC ଗୁରୁବାର ସ୍ପଷ୍ଟ କରିଛି । ଆଗାମୀ ସଂସ୍କରଣରେ ଏସିଆର ଶୀର୍ଷ 12ଟିମ 3ଟି ଗ୍ରୁପରେ ବିଭକ୍ତ ହୋଇ ଖେଳିବେ । ପ୍ରତ୍ୟେକ ଗ୍ରୁପରେ 4ଟି ଟିମ ରହିବେ । ପ୍ରାୟ 18 ଦିନରୁ ଅଧିକ ଖେଳାଯିବାକୁ ଥିବା ଏହି ମେଗା ଇଭେଣ୍ଟରେ କ୍ବାର୍ଟର-ଫାଇନାଲ ଯୋଗ୍ୟତା ଅର୍ଜନ ପାଇଁ 25ଟି ମ୍ୟାଚ ଖେଳାଯିବ ।
ଏହି ଟୁର୍ଣ୍ଣାମେଣ୍ଟରୁ 5ଟି ଏସିଆନ ଟିମ 2023 FIFA ମହିଳା ବିଶ୍ବକପ ପାଇଁ ଯୋଗ୍ୟତା ସିଧାସଳଖ ଅର୍ଜନ କରିବେ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ଏହାର ଆୟୋଜକ ରହିଛନ୍ତି ।
AFC ସାଧାରଣ ସମ୍ପାଦକ ଦତା ୱିଣ୍ଡସର ଜନ କହିଛନ୍ତି, "ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ ଗତ କିଛି ବର୍ଷ ଧରି ଲଗାତାର ପ୍ରଦର୍ଶନରେ ଉନ୍ନତି କରୁଛନ୍ତି । ଏହା ଭାରତୀୟ ଫୁଟବଲ ପାଇଁ ଶୁଭ ସଙ୍କେତ । ଭାରତରେ ଖେଳାଯିବାକୁ ଥିବା ମହିଳା ଏସିଆନ କପ୍ର 2022 ସଂସ୍କରଣ ପାଇଁ ଏହି ଘୋଷଣା ଆତ୍ମବିଶ୍ବାସ ଯୋଗାଇବ ।"
ଅନ୍ୟପଟେ ଏହି ପ୍ରତିଯୋଗିତା ଭାରତରେ ମହିଳା ଫୁଟବଲକୁ ଆଗକୁ ନେବାର ସହାୟକ ହେବ ବୋଲି ସର୍ବଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ