ଅହମଦାବାଦ: ବିଜୟ ହଜାରେ ଟ୍ରଫିରେ (Vijay Hazare Trophy 2022) ଋତୁରାଜଙ୍କ ଅବିଶ୍ବସନୀୟ ପାଳି । ଲିଷ୍ଟ-A କ୍ରିକେଟ ଇତିହାସରେ ଗୋଟିଏ ଓଭରରେ ୭ଟି ଛକା ମାରିବାରେ ହେଲେ ପ୍ରଥମ କ୍ରିକେଟର । ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ଼ ଉତ୍ତରପ୍ରଦେଶ ବିପକ୍ଷ କ୍ବାର୍ଟର ଫାଇନାଲରେ ୪୯ ତମ ଓଭରରେ ୭ଟି ଛକା ସହିତ ୪୩ ରନ ସଂଗ୍ରହ କରିଥିଲେ ।
ଗୁଜରାଟ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ବିଜୟ ହଜାରେ ଟ୍ରଫିର କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ଏହି କ୍ବାର୍ଟର ଫାଇନାଲରେ ଟସ ଜିତି ପ୍ରଥମେ ମହାରାଷ୍ଟ୍ରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଉତ୍ତରପ୍ରଦେଶ ଅଧିନାୟକ କରନ ଶର୍ମା । ତେବେ ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ଼ ବ୍ୟାଟିଂ ଆରମ୍ଭ କରିଥିଲେ । ଆରମ୍ଭରୁ ପରିସ୍ଥିତି ଅନୁସାରେ ପାଳିକୁ ସମ୍ଭାଳିଥିଲେ ଏହି ବ୍ୟାଟର । ୧୦୮ ବଲରୁ ୯୪ ରନ ସଂଗ୍ରହ କରିଥିବା ଋତୁରାଜ ଉତ୍ତରପ୍ରଦେଶ ସ୍ପିନର ଶିବା ସିଂହଙ୍କ ବଲକୁ ଛକା ମାରି ୧୦୯ ବଲରୁ ଶତକ ହାସଲ କରିଥିଲେ ।
ଏହାପରେ ଋତୁରାଜଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଇନିଂସର ୪୯ ତମ ଓଭରରେ ଉତ୍ତରପ୍ରଦେଶ ସ୍ପିନର ଶିବା ସିଂହ ବୋଲିଂ କରିବାକୁ ଆସିଥିବା ବେଳେ ସେହି ଓଭରରେ ୭ ଛକା ମାରି ବିଶ୍ବ ରେକର୍ଡ କରିଛନ୍ତି ଏହି ଯୁବ ତାରକା ବ୍ୟାଟର । ସେହି ଓଭରର ପ୍ରଥମ ୪ଟି ବଲ ଛକା ହେବା ପରେ ଚାପଗ୍ରସ୍ତ ଶିବାଙ୍କ ପଞ୍ଚମ ବଲ ନୋ-ବଲ ହୋଇଥିଲା । ଏହାକୁ ମଧ୍ୟ ଛକା ମାରିଥିଲା ଋତୁରାଜ । ଏହିଭଳି ୪୯ ତମ ଓଭରରୁ ସମୁଦାୟ ୪୩ ରନ ସଂଗ୍ରହ କରିଥିଲେ ଋତୁରାଜ ଗାଏକ୍ୱାଡ଼ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ