ପାଲିକେଲ୍: ପାଖେଇ ଆସୁଛି ସମୟ । ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହୋଇଯିବ ଏସୀୟ କ୍ରିକେଟ୍ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ୨୦୨୩ । ଆଉ ଏଥିରେ ସବୁଠାରୁ ବଡ଼ ମ୍ୟାଚ୍ରେ ମହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଏହି ଚିର ପ୍ରତିଦ୍ବନ୍ଦ୍ବୀଙ୍କ ମ୍ୟାଚ୍ ସବୁବେଳେ ରୋମାଞ୍ଚପୂର୍ଣ୍ଣ ରହିଥାଏ । ମୈଦାନ ଭିତରେ ଯେତିକି ଉଷ୍ମତା ରହିଥାଏ, ପ୍ରଶଂସକଙ୍କ ମନରେ ଭରି ରହିଥାଏ ସେତିକି ଉନ୍ମାଦନା । ଏଥିପାଇଁ ଏବେଠାରୁ ବିଭିନ୍ନ ଦେଶର କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟରମାନେ ବିଭିନ୍ନ ବ୍ୟାଟରଙ୍କ ସ୍କୋର ଓ ପ୍ରଦର୍ଶନର ଅନ୍ଦାଜ୍ ଲଗାଇବାରେ ଲାଗି ପଡ଼ିଲେଣି ।
ତେବେ ବହୁ ମାନସ ମନ୍ଥନ ପରେ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସେପ୍ଟେମ୍ବର ୨ରେ ପାଲିକେଲ୍ରେ ଖେଳାଯିବ । ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ୍ରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପରସ୍ପର ବିପକ୍ଷରେ ପଡ଼ିଆରେ ରହିବେ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମୈଦାନରେ ରହିବେ ଭେଟେରାନ ବ୍ୟାଟର ବିରାଟ କୋହଲି । ତେବେ ଏହା ପୂର୍ବରୁ ପାକିସ୍ତାନ ଖେଳାଳି ଇମାମ ଉଲ୍ ହକ୍ ବିରାଟଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । କୋହଲିଙ୍କୁ ନିଜ ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି ଇମାମ । ଫିଟ୍ନେସ୍ ଏବଂ କ୍ରୀଡା ସମ୍ବନ୍ଧରେ କୋହଲି ସିଦ୍ଧ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ଟିମ୍ ଇଣ୍ଡିଆରେ ନମ୍ବର ୪ ପାଇଁ ପରଫେକ୍ଟ କୋହଲି, କାରଣ କହିଲେ ଡିଭିଲିୟର୍ସ
ଏକ ସାକ୍ଷାତକାରରେ ଇମାମ କୋହଲିଙ୍କ ଉପରେ ପ୍ରତିକ୍ରିୟା ରଖିଥିଲେ । ଏଥିରେ ସେ କହିଛନ୍ତି, "ବିରାଟ କୋହଲି ହେଉଛନ୍ତି ଏକ ଆଦର୍ଶ । ପ୍ରଦର୍ଶନ, ଫିଟ୍ନେସ୍ ଏବଂ ବ୍ରାଣ୍ଡିଂ ଦୃଷ୍ଟିରୁ ସେ ଆମ ଭଳି କ୍ରିକେଟରଙ୍କ ପାଇଁ ଏକ ଉତ୍ତମ ଉଦାହରଣ ।" ତେବେ ଇମାମ ଉଲ୍ ହକ୍ ଏସିଆ କପ୍ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇଛନ୍ତି । ତାଙ୍କର ରେକର୍ଡ ମଧ୍ୟ ବେଶ ପ୍ରଭାବୀ । ଉଲ୍ଲେଖଯୋଗ୍ୟ, ଇମାମ ଉଲ୍ ହକ୍ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ୬୨ଟି ଦିନିକିଆ ମ୍ୟାଚ୍ ଖେଳି ୨୮୮୪ ରନ ସ୍କୋର କରିଛନ୍ତି । ସେ ଏହି ଫର୍ମାଟରେ ୯ ଶତକ ଏବଂ ୧୮ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ