ହାଇଦ୍ରାବାଦ: ଆଉ କିଛିଦିନ ପରେ ଆରମ୍ଭ ହୋଇଯିବ ବିଶ୍ବର ସର୍ବବୃହତ ଡୋମେଷ୍ଟିକ କ୍ରିକେଟ ଲିଗ ଆଇପିଏଲ ୨୦୨୩ । ତେବେ ଚଳିତ ବର୍ଷ ଆଇପିଏଲରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଆଇପିଏଲ ଦ୍ବାରା ଜାରି ହୋଇଥିବା ଏକ ବିବୃତ୍ତିରେ ଏନେଇ ସୂଚନା ଦିଆଯାଇଛି । ଏହି ପରିବର୍ତ୍ତନ ଦ୍ବାରା ଦଳ ଗୁଡ଼ିକୁ ନିଜର ଚୂଡ଼ାନ୍ତ ଏକାଦଶ ବାଛିବାରେ ସହଜ ହେବ । କାରଣ ପରିବର୍ତ୍ତିତ ନିୟମ ଅନୁସାରେ ଟସ ପରେ ମଧ୍ୟ ଅଧିନାୟକ ମାନେ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିପାରିବେ । ଟସ ସମୟରେ ଅଧିନାୟକ ମାନେ ଯେଉଁ ଚୂଡ଼ାନ୍ତ ଏକାଦଶ ସହିତ ପଡ଼ିଆ ମଧ୍ୟକୁ ଯାଇଥିବେ, ସେଥିରେ ପରେ ପରିବର୍ତ୍ତନ କରିପାରିବେ ବୋଲି ଏହି ପରିବର୍ତ୍ତିତ ନିୟମରେ ଦର୍ଶାଯାଇଛି । ଆଗାମୀ ସଂସ୍କରଣରେ ଇମ୍ପାକ୍ଟ ପ୍ଲେୟର ନିୟମ ମଧ୍ୟ ଲାଗୁ ହେବ ବୋଲି ଆଇପିଏଲ ଦ୍ବାରା ଜାରି ହୋଇଥିବା ବିବୃତ୍ତିରେ ଉଲ୍ଲେଖ ରହିଛି ।
ଏଥିରେ କୁହାଯାଇଛି ଯେ, 'ବର୍ତ୍ତମାନ ଟସ ପୂର୍ବରୁ ଦଳ ଗୁଡ଼ିକୁ ଚୂଡ଼ାନ୍ତ ଏକାଦଶ ଚୟନ କରିବାକୁ ପଡ଼ୁଛି । କିନ୍ତୁ ଏହି ନିୟମ ଦ୍ବାରା ଟସ ପରେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରାଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି । ଏହା ଫଳରେ ଦଳ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରୁଛି ଜାଣିବା ପରେ ସେମାନେ ନିଜର ସଠିକ ଚୂଡ଼ାନ୍ତ ଏକାଦଶ ଚୟନ କରିପାରିବେ । ଏହି ନିୟମ ଦଳ ଗୁଡ଼ିକୁ ଇମ୍ପାକ୍ଟ ପ୍ଲେୟର ପାଇଁ ଯୋଜନା ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହେବ ।' ତେବେ ଏପରି ନିୟମ ପୂର୍ବରୁ SA20 ଡୋମେଷ୍ଟିକ କ୍ରିକେଟ୍ ଲିଗ୍ରେ ମଧ୍ୟ ହୋଇଛି । ନିକଟରେ ଖେଳାଯାଇଥିବା SA20ର ଉଦ୍ଘାଟନୀ ସିଜିନରେ ଟସ ବେଳେ ଅଧିନାୟକଙ୍କ ଚୂଡ଼ାନ୍ତ ତାଲିକାରେ ୧୩ ଜଣ ଖେଳାଳିଙ୍କର ନାମ ରହିଥିଲା । ଏନେଇ SA20ର ନିର୍ଦ୍ଦେଶକ ତଥା ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ଗ୍ରୀନ ସ୍ମିଥ କହିଥିଲେ, "ମ୍ୟାଚ୍ରେ ଟସର ପ୍ରଭାବକୁ କମ କରିବା ପାଇଁ ଏହା ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି ।"
ତେବେ ଏହି ନିୟମକୁ ଦ୍ବିତୀୟ ଡୋମେଷ୍ଟିକ କ୍ରିକେଟ ଲିଗ୍ ଭାବେ ଆଇପିଏଲ ଆପଣାଇଛି । ଏହି ପରିବର୍ତ୍ତିତ ନିୟମ ଦ୍ବାରା ମ୍ୟାଚ୍ରେ ଟସର ପ୍ରଭାବ ନିଶ୍ଚିତ ଭାବେ କମିବ । ଏମିତିରେ ଭାରତର କିଛି ଷ୍ଟାଡିୟମରେ ଆଇପିଏଲ ସମୟରେ ଦ୍ବିତୀୟ ପାଳିରେ ବୋଲିଂ କରୁଥିବା ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେଥିପାଇଁ ସେଠାରେ ଟସ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା । ଏବେ ନୂଆ ନିୟମ ଅନୁସାରେ ଟସ ହାରିବା ଟିମ ମଧ୍ୟ ନିଜ ଆବଶ୍ୟକ ଅନୁସାରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରିବ ।
ଆଇପିଏଲ ୨୦୨୩ ପାଇଁ ଅନ୍ୟ ପରିବର୍ତ୍ତିତ ନିୟମ: ଆଇପିଏଲରେ ଅନ୍ୟ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଯେପରିକି ନିର୍ଦ୍ଧାରିତ ସମୟରେ ପ୍ରତି ଓଭର ବୋଲିଂ ଶେଷ କରିନପାରିଲେ, ପାୱାର ପ୍ଲେ ଭଳି କେବଳ ୪ ଜଣ ଫିଲ୍ଡର ସର୍କଲ ବାହାରେ ରହିବେ । ଅନ୍ୟ ନିୟମ ଅନୁସାରେ ବଲ ଆସିବା ପୂର୍ବରୁ ୱିକେଟ ରକ୍ଷକଙ୍କ ଅନୁଚିତ ଗତି ବଦଳରେ ସେହି ବଲକୁ ଡେଡ୍ ବଲ ଘୋଷଣା କରାଯିବ, କିମ୍ବା ୫ ପେନାଲ୍ଟି ରନ ଦିଆଯିବ । ସେହିଭଳି ବ୍ୟାଟର କୌଣସି ସଟ୍ ଖେଳିବା ପୂର୍ବରୁ ଫିଲ୍ଡରଙ୍କର ଅନାବଶ୍ୟକ ଗତି ପାଇଁ ସେହି ବଲକୁ ଡେଡ୍ ବଲ ଘୋଷଣା କରାଯିବ କିମ୍ବା ୫ ପେନାଲ୍ଟି ରନ ଦିଆଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ