ଦୁବାଇ: ଅକ୍ଟୋବର ୨୪(ରବିବାର) କ୍ରିକେଟ ଜଗତ ଆଉ ଏକ ହାଇଭୋଲଟେଜ ମୁକାବିଲାର ସାକ୍ଷୀ ହେବାକୁ ଯାଉଛି । ଭାରତ ଓ ପାକିସ୍ତାନର ସଂପର୍କ କାହାରିକୁ ଅଛପା ନାହିଁ । ଦୁଇ ଦେଶ ରାଜନୈତିକ ସଂପର୍କ ତିକ୍ତତା ଚରମସୀମାରେ ଥିବା କାରଣରୁ ଦ୍ବିପାକ୍ଷିକ ସିରିଜ ଖେଳୁନଥିବାବେଳେ କେବଳ ICC ଇଭେଣ୍ଟରେ ବାଧ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ହେଉଛନ୍ତି । ରବିବାର ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ରେ ଦୁଇ ଟିମ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବେ । ଏହି ମ୍ୟାଚ୍ରୁ ନେଇ ଉଭୟ ଟିମର କ୍ୟାମ୍ପ୍ ସହିତ ବିଶ୍ବର ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।
ଅନେକ ପୂର୍ବତନ କ୍ରିକେଟର, ବୋର୍ଡର ଅଧିକାରୀ ଓ ବର୍ତ୍ତମାନର ଖେଳାଳିଙ୍କ ପ୍ରତିକ୍ରିୟା ଆସିସାରିଥିବାବେଳେ ଏହି କ୍ରମରେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଥ୍ୟୁ ହେଡେନ ।
ପାକିସ୍ତାନ କ୍ରିକେଟର ବ୍ୟାଟିଂ ପରାମର୍ଶଦାତା ଅଛନ୍ତି ହେଡେନ। ଭାରତ ବିପକ୍ଷ ମ୍ୟାଚ୍କୁ ନେଇ ହେଡେନ କହିଛନ୍ତି, ଏହା ଏପରି ଏକ ମ୍ୟାଚ୍ କୌଣସି ଗୋଟିଏ ଟିମ ଓହରିପାରିବ ନାହିଁ । ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମ୍ୟାଚ୍ ଡଗ୍ଫାଇଟ୍(କୁକୁରଲଢେଇ) ପରି ।
ହେଡେନ କହିଛନ୍ତି, "ମ୍ୟାଚ୍କୁ କୌଣସି ଟିମ ହାଲୁକା ଭାବେ ନେଇପାରିବ ନାହିଁ, କାରଣ ଏହା ଡଗ୍ଫାଇଟ ପରି । ପରିସ୍ଥିତି ଓ ତ୍ରୁଟିର ବ୍ୟବଧାନ ଅତି କମ୍ ହେବ । ଏହି ଚାପଯୁକ୍ତ ମ୍ୟାଚ୍ରେ ନେତୃତ୍ବର ପ୍ରମୁଖ ଭୁମିକା ରହିବ । ବାବର ଏହି ଦାୟିତ୍ବ ନିଭାଇବାକୁ ପ୍ରସ୍ତୁତ । ବ୍ୟାଟିଂ କ୍ରମରେ ମଧ୍ୟ ବାବର ପ୍ରମୁଖ ଖେଳାଳି, ତାଙ୍କୁ ଟାର୍ଗେଟ କରାଯିବ ।" ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଏହା କହିଛନ୍ତି ହେଡେନ ।
ଟି-୨୦ ବିଶ୍ବକପ ପୂର୍ବରୁ ହେଡେନଙ୍କୁ ବ୍ୟାଟିଂ ପରାମର୍ଶଦାତା ଓ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଭର୍ନାନ ଫିଲାଣ୍ଡରଙ୍କୁ ବୋଲିଂ ପରାମର୍ଶ ନିଯୁକ୍ତ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(PCB) ।
ତେବେ ଭାରତ ଖେଳିଥିବା ଉଭୟ ଟି-୨୦ ବିଶ୍ବକପ ଅଭ୍ୟାସ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି । ପ୍ରଥମେ ଇଂଲଣ୍ଡକୁ ୭ ୱିକେଟ ଓ ପରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଛି ମେନ ଇନ୍ ବ୍ଲୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ