କୋଲକାତା: ବିଶ୍ବକପ୍ ୨୦୨୩ରେ ରବିବାର କୋଲକାତାର ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା । ଦୁଇ ଟେବୁଲ ଟପର୍ସଙ୍କ ହାଇପ୍ରୋଫାଇଲ୍ ମ୍ୟାଚ୍ ଦେଖିବାକୁ ଗତ ଏକ ସପ୍ତାହ ହେବ ଟିକେଟ୍ ପାଇଁ ନାହିଁ ନଥିବା ସଙ୍ଘର୍ଷ କରିଛନ୍ତି କ୍ରିକେଟ୍ ପ୍ରଶଂସକ । ଏହାରି ଭିତରେ ଟିକେଟ୍ କଳାବଜାରୀ ଘଟଣା ସାମ୍ନାକୁ ଆସିଥିଲା । କ୍ରିକେଟ ପ୍ରଶଂସକମାନେ ଟିକେଟ୍ ବିକ୍ରିରେ କଳାବଜାରୀ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ ପ୍ରଥମେ ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ (CAB) ଓ ଅନ୍ଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ Book My Show ଅଧିକାରୀଙ୍କୁ ପଚରାଉଚରା କରିଥିଲା କୋଲକାତା ପୋଲିସ । ତେବେ ଇଡେନ ଗାର୍ଡେନ୍ସରେ ଟିକେଟ୍ ବିକ୍ରି ସମ୍ପର୍କରେ ବିସିସିଆଇକୁ ସୂଚନା ମାଗିଛି କୋଲକାତା ପୋଲିସ ।
ଏନେଇ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ କୋଲକାତା ପୋଲିସ ନୋଟିସ ଜାରି କରିଥିବା ଜଣାପଡ଼ିଛି । ବିଶ୍ବକପ୍ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିରେ କଳାବଜାରୀ ହେଉଥିବା ନେଇ କୋଲକାତା ପୋଲିସ ପୂର୍ବରୁ ଏକ ମାମଲା ରୁଜୁ କରିଥିଲା । ଏହାପରେ ବଙ୍ଗଳା କ୍ରିକେଟ୍ ଆସୋସିଏସନର ଅଧିକାରୀ ଏବଂ ଟିକେଟ୍ ବୁକିଂ ଅନ୍ଲାଇନ୍ ପୋର୍ଟାଲ Book My Show ଅଧିକାରୀଙ୍କୁ ଥାନାକୁ ଡକାଇ ପଚରାଉଚରା କରାଯାଇଥିଲା । ପ୍ରକାଶଯୋଗ୍ୟ, ବୁଧବାର ଦିନ କୋଲକାତାର ମୈଦାନ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ଟିକେଟ ବିକ୍ରି ଯେତିକି ହେଉନାହିଁ, ଏହାଠାରୁ ଅଧିକ କଳାବଜାରୀ ହେଉଛି ବୋଲି କ୍ରିକେଟ୍ ପ୍ରଶଂସକମାନେ ଅଭିଯୋଗ କରିଥିଲେ । ଏନେଇ ପ୍ରଶଂସକମାନେ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ଏବଂ ବିସିସିଆଇ ଅଧିକାରୀଙ୍କ ସହ Book My Show ଅନଲାଇନ ପୋର୍ଟାଲ୍ ମଧ୍ୟରେ ଅସାଧୁ କାରବାର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ବିସିସିଆଇକୁ ଏକ ନୋଟିସ ପଠାଯାଇଛି । ବିସିସିଆଇ ସଭାପତି ରୋଜର ବିନ୍ନିଙ୍କ ନାମରେ ଏହି ନୋଟିସ ଜାରି କରାଯାଇଛି । ଯେଉଁଥିରେ ଟିକେଟ୍ ବିକ୍ରି ସହ ଜଡିତ ଡକ୍ୟୁମେଣ୍ଟ ଗୁଡିକ ମୈଦାନ ପୋଲିସ ଷ୍ଟେସନରେ ଦାଖଲ କରିବାକୁ କୁହାଯାଇଛି । ଅନ୍ୟପଟେ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରିଛି କୋଲକାତା ପୋଲିସ । ଅଭିଯୁକ୍ତ ମାନଙ୍କଠାରୁ ୧୦୮ ଟିକେଟ୍ ମଧ୍ୟ ଜବତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ