ନୂଆଦିଲ୍ଲୀ: କୋରୋନା ଭାଇରସ କବଳରୁ ବର୍ତ୍ତି ପାରିନାହାନ୍ତି କ୍ରିକେଟର । ଜଣଙ୍କ ପରେ ଜଣେ ମହାମାରୀ କବଳରେ ପଡୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷର ଆଇପିଏଲ ବନ୍ଦ ହେବା ପରେ କୋଲକାତା ନାଇଟ ରାଇଡର୍ସର ବ୍ୟାଟ୍ସ ମ୍ୟାନ ଟିମ ସାଇଫର୍ଟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଗତକାଲି(ଶୁକ୍ରବାର) ତାଙ୍କର କରାଯାଇଥିବା ଆରଟି-ପିସିଆର ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିବାର ସୂଚନା ମିଳିଛି । କୋରୋନା ପଜିଟିଭ ଚି଼ହ୍ନଟ ହୋଇଥିବାରୁ ସେ ଏବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରିବର୍ତ୍ତେ 10 ଦିନ ଆଇସୋଲେସନରେ ରହିବେ । ସାଇଫର୍ଟ ଆଇପିଏଲରେ କେକେଆର ଦଳ ପକ୍ଷରୁ ଖେଳୁଥିବା ବେଳେ ସେ ନ୍ୟୁଜିଲାଣ୍ଡ ଖେଳାଳୀ ଭାବେ ଦେଶ ପକ୍ଷରୁ ଅନ୍ତର୍ଜୀତୀୟ କ୍ରିକେଟ ଖେଳଥାନ୍ତି । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଙ୍ଗ କୋଚ କୋରୋନା ପଜିଟିଭ ଚି଼ହ୍ନଟ ହୋଇ ସ୍ବଦେଶ ଫେରିବା ପରିବର୍ତ୍ତେ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ।
ବିଶ୍ବର ଲୋକପ୍ରିୟ ଟି20 ମ୍ୟାଚ ଆଇପିଏଲରେ ଖେଳାଳୀଙ୍କ ସମେତ କୋଚ କୋରୋନା ଭାଇରସରେ ସଂକ୍ରମିତ ହେବା ପରେ ଅଧାରୁ ଆଇପିଏଲ ମ୍ୟାଚକୁ ବାତିଲ କରାଯାଇଥିଲା । ଖେଳାଳୀ ଓ ଆଇପିଏଲରେ ଜଡ଼ିତ ସମସ୍ତ କର୍ମଚାରୀଙ୍କ କୋଭିଡ ପରୀକ୍ଷଣ ସହିତ ବିନା ଦର୍ଶକରେ ଚଳିତ ବର୍ଷର ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଏହାପରେ ମଧ୍ୟ ଖେଳାଳୀ ଓ କୋଚ ପଜିଟିଭ ଚିହ୍ନଟ ହୋଇଥିଲେ ।