ମୁମ୍ବାଇ: ଚଳିତ ଆଇପିଏଲର 31ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିନାୟକ ଫାଫ ଡୁ ପ୍ଲେସିଙ୍କ ଇନିଂସ ବଳରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଦଳ । ସୁପରଜାଏଣ୍ଟସକୁ 18ରନରେ ପରାସ୍ତ କରିଛି ରୟାଲ । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର 6 ୱିକେଟ ହରାଇ 181 ରନ କରିଥିଲା । ଜବାବରେ ଲକ୍ଷ୍ନୌ 8 ୱିକେଟ ହରାଇ 163 ରନ କରିବାକୁ ସକ୍ଷମ ହୋଇଥିଲା ।
ଲକ୍ଷ୍ନୌ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଇନିଂସ ଆରମ୍ଭରୁ ବାଙ୍ଗାଲୋର ଦଳ ଓପନର ଅନୁଜ ରାୱତ ଓ ବିରାଟ କୋହଲିଙ୍କ ୱିକେଟ ହରାଇଥିଲା । ଏହାପରେ ଦଳର ମଙ୍ଗ ସମ୍ଭାଳିଥିଲେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ । ଗୋଟିଏ ପରେ ଗୋଟିଏ ବ୍ୟାଟର ଆଉଟ ହୋଇ ପାଭେଲିୟନ ଫେରୁଥିବା ବେଳେ ଅନ୍ୟ ପଟେ ଡୁ ପ୍ଲେସିସ୍ ବଡ଼ ସଟ୍ ଖେଳିବା ଜାରି ରଖିଥିଲେ । ସେ ମାକ୍ସୱେଲ, ଶାହାବାଜ ଅହମ୍ମଦଙ୍କ ସହ ଭଲ ଭାଗଦାରୀ କରି ଦଳକୁ ଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ମାକ୍ସୱେଲ ୨୩ ରନ୍ କରି ଆଉଟ ହୋଇଥିବା ବେଳେ ଶାହାବାଜ ୨୬ ରନ୍ କରି ଆଉଟ ହୋଇଥିଲେ ।
ଶତକରୁ ମାତ୍ର ୪ ରନ୍ରେ ବଞ୍ଚିତ ହୋଇଛନ୍ତି ଫାଫ୍ ଡୁ ପ୍ଲେସିସ୍ । ସେ ୬୪ ବଲ୍ରୁ ଦୁଇଟି ଛକା ଓ ୧୧ଟି ଚୌକା ସହ 96 ରନ୍ କରିଥିଲେ । କାର୍ତ୍ତିକ ଅପରାଜିତ 13 ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଦୁଷ୍ମନ୍ତ ଚମୀରା ଓ ଜେଶନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ କୃଣାଲ ପାଣ୍ଡ୍ୟା ଗୋଟିଏ ୱିକେଟ ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ୬ ୱିକେଟ ହରାଇ ୧୮୧ ରନ୍ କରିଛି । ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ଲଢ଼ୁଆ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଡ଼ ସ୍କୋର୍ କରିବାରେ ସଫଳ ହୋଇଥିଲା ।
182 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ଲୋକେଶ ରାହୁଲ ଓ ଡି କକ୍ । ଦଳୀୟ ସ୍କୋର 14 ରନରେ ଦଳ 2ଟି ୱିକେଟ ହରାଇଥିଲା । ଡି କକ (3) ଓ ମନୀଷ ପାଣ୍ଡେ 6 ରନ କରି ଆଉଟ ହୋଇଥିଲ । ଅଧିନାୟକ ଲୋକେଶ ରାହୁଲ ସତର୍କତାର ସହ ବ୍ୟାଟିଂ କରି ସ୍ଥିତି ସୁଧାରିବାରେ ଲାଗି ପଡି ଯାଇଥିଲେ । ତାଙ୍କୁ କୃନାଲ ପାଣ୍ଡ୍ୟା ଉପଯୁକ୍ତ ସହାୟତା କରିଥିଲେ । ରାହୁଲ (30) ରନ କରି ଆଉଟ ହେବା ପରେ ଦଳ ସଙ୍କଟରେ ପଡିଯାଇଥିଲା । କୃନାଲ ଓ ଦୀପକ ଦଳୀୟ ସ୍କୋରକୁ 100ରେ ପହଞ୍ଚାଇଥିଲେ । ହୁଡାଙ୍କ ପରେ କୃନାଲ (42) ରନ କରି ଆଉଟ ହୋଇଥିଲେ । ଏହାପରେ ସୁରଜାଏଣ୍ଟସର ବିଜୟ ଆଶା ମଉଳି ଯାଇଥିଲା । 125 ରନରେ ଦଳ 6 ୱିକଟେ ହରାଇଥିଲା । ଦଳ 8 ୱିକେଟ ହରାଇ 163 ରନ କରିପାରିଥିଲା । ପରିଣାମ ବାଙ୍ଗାଲୋର ତାର ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ ତୃତୀୟକୁ ଉଠିଛି ।