ମୁମ୍ବାଇ: ଦେଶରେ ଏବେ ଜାରି ରହିଛି ଆଇପିଏଲ କ୍ରେଜ । ଏହାପରେ ଇଂଲଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ଆଇସିସି ଟ୍ରଫି ପାଇଁ ସ୍ବତନ୍ତ୍ର ପ୍ଲାନ୍ କରିଛି ବିସିସିଆଇ । ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ସେଠାରେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପ୍ଲାନ କରୁଛି ଭାରତୀୟ କ୍ରିକେଟ ବୋର୍ଡ । ଏଥିପାଇଁ ଜୁନ୍ ପୂର୍ବରୁ ସମସ୍ତ ଖେଳାଳୀଙ୍କୁ ଇଂଲଣ୍ଡ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିସିସିଆଇ ସୂତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ପାଇଁ ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା ସଦସ୍ୟମାନଙ୍କୁ ୩ଟି ପର୍ଯ୍ୟାୟରେ ଇଂଲଣ୍ଡରେ ପହଞ୍ଚିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟ ଟିମ୍ ମେ ୨୩ ତାରିଖ ଦିନ ଇଂଲଣ୍ଡ ଗସ୍ତ କରିବେ । ଏହାପରେ ଆଇପିଏଲ୍ ୨୦୨୩ର ଦ୍ବିତୀୟ ପ୍ଲେ ଅଫ୍ ସରିବା ପରେ ଦ୍ବିତୀୟ ପର୍ଯ୍ୟାୟ ଟିମ୍ ଇଂଲଣ୍ଡ ଯିବ । ବଳକା ଟିମ୍ ଆଇପିଏଲ୍ ଫାଇନାଲ ସରିବା ପରେ, ଅର୍ଥାତ ମେ ୨୮ ତାରିଖ ପରେ ଇଂଲଣ୍ଡ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍ ପହିଲା ପୂର୍ବରୁ ସମସ୍ତ ଟିମ୍ ସଦସ୍ୟଙ୍କୁ ଇଂଲଣ୍ଡରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ସେଠାରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍ର ଆୟୋଜନ ପାଇଁ ଯୋଜନା କରିଛି ବିସିସିଆଇ ।
ତେବେ ଚଳିତ ଆଇପିଏଲ ୨୦୨୩ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩ଟି ଟିମ୍ ପ୍ଲେ ଅଫ୍ରେ ପହଞ୍ଚି ସାରିଥିବା ବେଳେ ଚତୁର୍ଥ ସ୍ଥାନ ପାଇଁ ଆଜି ଶେଷ ଲିଗ୍ ମ୍ୟାଚ୍ ଖେଳ ହେଉଛି । ତେବେ ଏହି ସମୟ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ମଧ୍ୟ ଲାଗିଛି । ଦଳର କିଛି ଖେଳାଳୀ ଆଇପିଏଲରେ ଆଘାତ କାରଣରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଦଳରୁ ବାଦ ପଡ଼ିଛନ୍ତି । କେଏଲ ରାହୁଲ ଏହି ମ୍ୟାଚ୍ରୁ ସମ୍ପୂର୍ଣ୍ଣ ବାଦ ପଡ଼ିଥିବା ବେଳେ ଜୟଦେବ ଉନାଦକଟ ଓ ଉମେଶ ଯାଦବଙ୍କ ଉପସ୍ଥିତି ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି ।
ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ଈଶାନ କିଶାନ
ଷ୍ଟାଣ୍ଡବାଇ ଖେଳାଳୀ: ଋତୁରାଜ ଗାଏକୱାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ